ଖୋର୍ଦ୍ଧା ଜଟଣୀ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ: ଟ୍ୟୁସନ ଟଙ୍କା ମାଗିବାରୁ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ
କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଲା ହତ୍ୟାକାରୀ । ଟ୍ୟୁସନ ଟଙ୍କା ପାଇଁ ନାବାଳକୁ ହତ୍ୟା କରିଥିବା ସୂଚନା ଦେଲେ ଡିସିପି । ବାରମ୍ବାର ଟ୍ୟୁସନ ଟଙ୍କା ମାଗିବାରୁ ଅପମାନ ସହିନପାରି ଏପରି କରିଥିବା ଦୋଷ ସ୍ୱିକାର କରିଛି ଅଭିଯୁକ୍ତ । ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ମାରଣାସ୍ତ୍ର ଅନ୍ୟ କିଛି ସାମଗ୍ରୀ ଜବତ କରିଛି ପୋଲିସ । ସୂଚନା ଅନୁସାରେ ଅଭିଯୁକ୍ତ ନାବାଳକ ମୃତ ଛାତ୍ରଙ୍କ ବାପା, ମା’ଙ୍କ ପାଖରେ ଟ୍ୟୁସନ ହେଉଥିଲା । ବାରମ୍ବାର ଟଙ୍କା ମାଗିବାରୁ ଖରାପ ଲାଗିଥିଲା । ରାଗରେ ହତ୍ୟା କରିଥିବା ସୂଚନା ଦେଇଛି ଅଭିଯୁକ୍ତ । ଶୁଭମ ସ୍ୱରୂପ ଗତକାଲି ସଂଧ୍ୟାରେ ପଢୁଥିବାବେଳେ ଘରେ ପଶି ଦୁର୍ବୃତ ଛୁରାମାଡ କରିଥିବା ତାଙ୍କ ମା କହିଥିଲେ । ଶୁଭମଙ୍କ ଦେହରେ ୩-୪ ଥର ଛୁରାମାଡ ହୋଇଥିଲା । ଶୁଭମଙ୍କ ବେକ, ଛାତି, ହାତ ସହିତ ଅନ୍ୟ ସ୍ଥାନରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମ ସ୍ୱରୂପ ଓଡିଆ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଥିଲେ ।