କନକ ବ୍ୟୁରୋ: ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବା ସମୟରେ ସଡକ ଦୁର୍ଘଟଣାରେ ଶଶୁର ଜ୍ୱାଇଁ ମୃତ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ,ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀ(୩୦)ଙ୍କ ପିଉସୀର ଗତ କାଲି ରାତିରେ ମୃତ୍ୟୁ ଘଟିଥିଲା । ଆଜି ଶୁଦ୍ଧିକ୍ରିୟା ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀ ରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଖବର ପାଇ ଶ୍ୱଶୁର ବାଲି ଜାନୀ(୬୫)ଙ୍କୁ ସଙ୍ଗରେ ନେଇ ନିଜ ଗ୍ରାମକୁ ଯିବାକୁ ବାହାରି ଥିଲେ । ଆଜି ସକାଳୁ ବାଇକରେ ଯିବା ସମୟରେ ରାଇଘର ମୁଖ୍ୟ ବଜାର ଉପରେ ଅବସ୍ଥିତ ଡାକଘର ସମ୍ମୁଖରେ ଏକ ନୂତନ ଟ୍ରକ ଚକ ତଳେ ପଡି ଯାଇଥିଲେ । ଘଟଣା ସ୍ଥଳରେ ହିଁ ଶଶୁର ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା ।

Advertisment

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଥିବା ବେଳେ ଶବ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରି ତଦନ୍ତ ଜାରି ରଖିଛନ୍ତି ।ପରିବାର ଲୋକେ ମେଡିକାଲକୁ ପହଞ୍ଚି ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।ଅନ୍ୟପଟେ ପୁରୀ ସାକ୍ଷୀଗୋପାଳ ରାସ୍ତାରେ ମଧ୍ୟ ଏକ ସଡକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।