କନକ ବ୍ୟୁରୋ : ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଡିସେମ୍ବର ପହିଲାରୁ ଆରମ୍ଭ ହେବ । ପୂର୍ବରୁ ଏହା ନଭେମ୍ବର ୧ରୁ ଆରମ୍ଭ କରିବାକୁ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଏହା ଅଧୀନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ କୁହାଯାଇଥିଲା । ତେବେ ଆଇଆଇଟି, ଏନ୍ଆଇଟି ପରି ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ଶିକ୍ଷାବର୍ଷରେ ପରିବର୍ତ୍ତନ କରିବାକୁ ଅଧିକାଂଶ ରାଜ୍ୟ ପ୍ରସ୍ତାବ ଦେଇଥିଲେ । ଏଆଇସିଟିଇ ପକ୍ଷରୁ ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରାଯିବା ପରେ ଶିକ୍ଷାବର୍ଷରେ ସାମାନ୍ୟ ପରିବର୍ତନ କରାଯାଇଛି ।
ପିଜିଡିଏମ୍/ପିଜିସିଏମ୍ ବ୍ୟତୀତ ଅନ୍ୟ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସିଟ୍ ବାତିଲ୍ ସହ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ସମୟ ସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ନଭେମ୍ବର ୧୦ ବୋଲି ଧାର୍ଯ୍ୟ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ନାମଲେଖାରୁ ଓହରିଯିବେ ସେମାନଙ୍କଠାରୁ ଶିକ୍ଷାନୁଷ୍ଠାନ କେବଳ ପ୍ରୋସେସିଂ ବାବଦରେ ଅତିବେଶିରେ ୧୦୦୦ ଟଙ୍କା କାଟିପାରିବେ । ବାକି ଅର୍ଥ ଫେରସ୍ତ କରିବେ। ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ଖାଲି ଥିବା ସିଟ୍ରେ ନାମଲେଖାର ଶେଷ ତାରିଖ ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଥିଲା । ଏବେ ତାହାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଏଆଇସିଟିଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।