କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ନିରବ ମୋଦୀ, ମେହୁଲ ଚୋକ୍ସିଙ୍କ ସ୍କାମକୁ ଟପିଯାଇଛି ଏବିଜି ସିପ୍ୟାର୍ଡ ଘୋଟାଲା । ୨୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇର ମାଷ୍ଟର ମାଇଣ୍ଡ ହେଉଛନ୍ତି ଏବିଜି ସିପ୍ୟାର୍ଡର ପୂର୍ବତନ ଅଧ୍ୟକ୍ଷ ଋଷି ଅଗ୍ରୱାଲ । ଋଷିଙ୍କ ସମେତ କଂପାନୀର ୮ ଜଣଙ୍କ ନାଁରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ ।

Advertisment

ବିଭିନ୍ନ ସ୍ଥାନରେ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହାରି ଭିତରେ ଆଉ ଏକ ବଡ଼ ତଥ୍ୟ ଆସିଛି । ୨୦୧୮ରେ ଏହି ବ୍ୟାଙ୍କ ଠକେଇ ନେଇ ରିକଭରି ଟ୍ରିବ୍ୟୁନାଲ୍ ନିକଟରେ ଅଭିଯୋଗ ହୋଇଥିଲା । ଟ୍ରିବ୍ୟୁନାଲ୍ ମଧ୍ୟ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏତେ ବଡ଼ ସ୍କାମର ତଦନ୍ତ ନେଇ କାହିଁକି ବିଳମ୍ବ ହେଲା, ଏ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ପ୍ରବର୍ତନ ନିର୍ଦ୍ଦେଶାଳାୟ ଏବିଜି ସିପ୍ୟାର୍ଡ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍
୨୩ ହଜାର କୋଟି ଟଙ୍କାର ଘୋଟାଲା
‘ପିଏନବି’କୁ ଟପିଗଲା ‘ଏବିଜି’ ଠକେଇ

ନିରବ ମୋଦୀ, ମେହୁଲ ଚୋକ୍ସିଙ୍କ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇକୁ ଟପି ଯାଇଛି ଏବିଜି ସିପ୍ୟାର୍ଡ ଘୋଟାଲା । ବଡ଼ ବଡ଼ କଂପାନୀ କିପରି ଏକାଧିକ ବ୍ୟାଙ୍କକୁ ଚୂନା ଲଗାଇ ହଜାର ହଜାର କୋଟି ଟଙ୍କା ହଡ଼ପ କରୁଛନ୍ତି, ଏହା ହେଉଛି ତା’ର ଜ୍ୱଳନ୍ତ ଉଦାହରଣ ।

ଏବିଜି ସିପ୍ୟାର୍ଡ କଂପାନୀ । ୧୯୮୫ ମସିହାରେ ଗୁଜରାଟରେ ଗଢ଼ା ହୋଇଥିବା ଏହି କଂପାନୀ, ଦେଶ ବିଦେଶରେ ବେଶ୍ ସୁନାମ ଅର୍ଜନ କରିଥିଲା । ହେଲେ ୨୦୧୨ରୁ ଏହାର ପତନ ଆରମ୍ଭ ହୋଇଥିଲା । ଆଉ ୨୦୧୨ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଫ୍ରର୍ଡ ହୋଇଥିବା ସୂଚନା ମିଳିଛି । କଂପାନୀର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଋଷି ଆଗ୍ରୱାଲ୍ ଏହି ସ୍କାମ୍ର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି । କଂପାନୀର ଅଚଳାଚଳ ସମ୍ପତ୍ତି ଦେଖାଇ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିଲେ କୋଟି କୋଟି ଟଙ୍କା ।

କେଉଁ ବ୍ୟାଙ୍କରୁ ଯାଇଛି କେତେ କୋଟି ?

୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଋଣ ଘୋଟାଲା
ଆଇସିଆଇସିଆଇ ବ୍ୟାଙ୍କରୁ ୭,୦୮୯ କୋଟି
ଷ୍ଟେଟ୍ ବ୍ୟାଙ୍କରୁ ୨,୯୨୫ କୋଟି
ଆଇଡିବିଆଇ ବ୍ୟାଙ୍କ ଦେଇଛି ୩,୬୩୯ କୋଟି
ବ୍ୟାଙ୍କ ଅଫ୍ ବରୋଦା ୧,୬୧୪ କୋଟି
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୧,୨୪୪ କୋଟି
ଏକ୍ଜିମ୍ ବ୍ୟାଙ୍କ ୧,୩୨୭ କୋଟି
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ୧,୨୪୪ କୋଟି
ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଯାଇଛି ୭୧୯ କୋଟି

ଅହମ୍ମଦାବାଦ ସ୍ଥିତ ରିକଭରୀ ଟ୍ରିବ୍ୟୁନାଲ୍ରେ ଆଇସିଆଇସିଆଇ, ଷ୍ଟେଟ୍ ବ୍ୟାଙ୍କ ସମେତ ୩ଟି ବ୍ୟାଙ୍କ ଏବିଜି ସିପ୍ୟାର୍ଡ ବିରୋଧରେ ଅଲଗା ଅଲଗା ଅଭିଯୋଗ କରିଥିଲେ । ଋଷି ଅଗ୍ରୱାଲ ଓ କଂପାନୀର ଅନ୍ୟ କର୍ମକର୍ତାଙ୍କ ବିରୋଧରେ ଅଭିଯୋଗ କରିଥିଲା ହୋଇଥିଲା । ୧୩ ହଜାର ୯୭୫ କୋଟି ଟଙ୍କା ଓ ସୁଧ ଆଦାୟ କରିବା ପାଇଁ ଟ୍ରିବ୍ୟୁନାଲ୍ ଆଦେଶ ଦେଇଥିଲେ । ନହେଲେ ସଂପତି ବିକ୍ରି କରି ଭରଣା କରିବାକୁ କୁହାଯାଇଥିଲା । କିନ୍ତୁ ବ୍ୟାଙ୍କଗୁଡିକ ଏ ନେଇ ତତ୍ପରତା ଦେଖାଇନଥିଲେ । ୨୦୧୯ରେ ସିବିଆଇ ନିକଟରେ ଅଭିଯୋଗ କରିଥିଲା ଏସବିଆଇ ।

ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା

ଆଇସିଆଇସିଆଇ ନେତୃତ୍ୱରେ ୨୮ ବ୍ୟାଙ୍କକୁ ନେଇ କନ୍ସୋର୍ଟିୟମ୍
ନଭେମ୍ବର ୨୦୧୯ରେ ସ୍କାମ ନେଇ ସିବିଆଇକୁ ଜଣାଇଲା ଏସବିଆଇ
ମାର୍ଚ୍ଚ ୨୦୨୦ରେ କିଛି ପ୍ରସଙ୍ଗରେ ସ୍ପଷ୍ଟତା ମାଗିଥିଲା ସିବିଆଇ
ଅଗଷ୍ଟ ୨୦୨୦ରେ ପୂରା ତଥ୍ୟ ସହ ପୁଣି ଅଭିଯୋଗ କଲା ଏସବିଆଇ
ଦେଢ଼ ବର୍ଷ ପରେ ୭ ଫେବ୍ରୁଆରୀ ୨୦୨୨ରେ ମାମଲା ଦାୟର କଲା ସିବିଆଇ
୧୨ ଫେବ୍ରୁଆରୀରେ ମୁମ୍ବାଇ, ସୁରଟ ସମେତ ୧୩ଟି ସ୍ଥାନରେ ଚଢ଼ାଉ

ସିବିଆଇ ଚଢ଼ାଉ ପରେ ସାରା ଦେଶରେ ଚହଲ ପକାଇଦେଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ । ତେବେ ଏତେ ବଡ଼ ସ୍କାମର ତଦନ୍ତ ପାଇଁ କାହିଁକି ୪ ବର୍ଷ ବିଳମ୍ବ ହେଲା, ଏହା ଏବେ ବଡ଼ ପ୍ରଶ୍ନ । ଋଷି ଅଗ୍ରୱାଲଙ୍କ ସମେତ ୮ ଜଣଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି ।