କରୋନା ଟିକା ପାଇଁ ଲାଇନ୍ ଦେଇଛି ଆଧାରକାର୍ଡ । ଆଠଗଡରେ ଟିକା ନେବା ପାଇଁ ରାସ୍ତା ଉପରେ ଲମ୍ବିଲା ଆଧାରକାର୍ଡର ଧାଡି । ସେପଟେ ଟିକା ପାଇଁ ଆସିଲା ଜଳଯାତ୍ରାର ଚିତ୍ର 

137

କନକ ବ୍ୟୁରୋ: ଦେବୀ ନଦୀରେ ଭାସୁଥିବା ଏହି କାଠ ଡଙ୍ଗା ଏବଂ ଡଙ୍ଗାରେ ଯାତ୍ରା କରୁଥିବା ଏହି ଯାତ୍ରୀ, ସେହି ମାନଙ୍କ ପାଇଁ ଗୋଟିଏ ବାର୍ତା ଆଣୁଛି, ଯେଉଁମାନଙ୍କ ପାଖକୁ ଟିକା ପହଂଚୁଥିଲେ ବି ଟିକା ନେଉ ନାହାଁନ୍ତି । ଭୂତାଣୁ ଭିତରେ ଜାରି ରହିଥିବା ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଆଉ ଏହି କଥାକୁ ଠିକ୍ ବୁଝିଛନ୍ତି ଅସ୍ତରଙ୍ଗ ତାଳଦା ଦୀପାଂଚଳର ଲୋକ । କାଠ ଡଙ୍ଗାରେ ଭରା ନଈ ପାର ହୋଇ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରରେ ପହଂଚିଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ବ୍ଲକର ଗ୍ରାମାଂଚଳରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ପୁଣି ଥରେ ତ୍ୱରାନ୍ୱିତ ହୋଇଛି । କାକଟପୁରର ଚାରିଟି କେନ୍ଦ୍ରରେ ଓ ଅସ୍ତରଙ୍ଗ ବ୍ଲକର ୬ଟି କେନ୍ଦ୍ରରେ ଟିକାକରଣ ହୋଇଛି । ଯେଉଁଠି ପ୍ରତି କେନ୍ଦ୍ରରେ ୨ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

କଟକ ଜିଲ୍ଲା ଆଠଗଡ଼ ଏଠି ଜୀବନ୍ତ ମଣିଷର ବିକଳ୍ପ ପାଲଟିଛି ନିର୍ଜୀବ ଆଧାର କାର୍ଡ । ଟିକା ନେବା ପାଇଁ ଡାକ୍ତରଖାନାର ଆଗରେ ଆଧାରକାର୍ଡକୁ ଧାଡିରେ ରଖି ଲୋକେ ଅପେକ୍ଷା କରିଛନ୍ତି । ଆଠଗଡ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଦୃଶ୍ୟ । ଲୋକେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି । ଆଉ ଦୀର୍ଘସମୟ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଆଧାରକାର୍ଡକୁ ଧାଡିରେ ରଖି ଅନ୍ୟତ୍ର ବସି ରହୁଛନ୍ତି ।