କନକ ବ୍ୟୁେରା: ମହାନଦୀ ପାଣିକୁ ନେଇ ବଡ ଚାଲ ଖେଳିଛି ପଡୋଶୀ ଛତିଶଗଡ । ଅଣମୌସୁମୀ ଋତୁ ଆରମ୍ଭ ହେବା କ୍ଷଣି କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ଆରମ୍ଭ କରିଦେଇଛି । ଫଳରେ ହୀରାକୁଦ ଜଳଭଣ୍ଡାରୁ ଜଳ ପ୍ରବାହ କମି ଯାଇଛି । ହୀରାକୁଦରେ ଜଳ କମିଗଲେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନ, ଚାଷ ଓ ଶିଳ୍ପାନୁଷ୍ଠାନ ପ୍ରଭାବିତ ହୋଇପାରେ ।
- ଆଗକୁ କଲବଲ କରିବ କଲମା ବ୍ୟାରେଜ
- ଅଣମୌସୁମୀ ଆରମ୍ଭରୁ ହୀରାକୁଦକୁ କମିଲାଣି ଜଳ ପ୍ରବାହ
- ପ୍ରଭାବିତ ହୋଇପାରେ ବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଓ ଶିଳ୍ପକୁ ଜଳ ଯୋଗାଣ
କଲମା ବ୍ୟାରେଜର ୬୧ଟି ଗେଟ୍ ବନ୍ଦ କରି ଦେଇଛି ଛତିଶଗଡ । ଏବେ ୫ଟି ଗେଟ୍ ଦେଇ ସେକେଣ୍ଡ ପ୍ରତି ମାତ୍ର ୫ ହଜାର ୧୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମି ଯାଇଛି । ପ୍ରତି ସେକେଣ୍ଡରେ ୯ ହଜାର ୯୪୫ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ବର୍ତମାନ ହୀରାକୁଦର ଜଳସ୍ତର ୬୨୯ ଦଶମିକ ୭୫ ଫୁଟ୍ ରହିଛି । ହୀରାକୁଦକୁ ଜଳ ପ୍ରବାହ କମିବା ଫଳରେ ଆଗାମୀ ଦିନରେ ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି ।
ହୀରାକୁଦ ଜଳଭଣ୍ଡାର ମୁଖ୍ୟତଃ ମହାନଦୀ ଓ ଏହାର ଉପନଦୀ ଗୁଡିକ ଉପରେ ନିର୍ଭର କରିଥାଏ । ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆ ପ୍ରାୟ ୯୦ ପ୍ରତିଶତ ଛତିଶଗଡରେ ରହିଥିବା ବେଳେ ବାକି ଅଞ୍ଚଳ ଓଡିଶାରେ ରହିଛି । ଜୁନ୍ ୧ରୁ ଅକ୍ଟୋବର ୩୧ ମୌସୁମୀ ଋତୁରେ ହୀରାକୁଦକୁ ଯେତିକି ପାଣି ଆସିଥାଏ ଅଣମୌସୁମୀ ଋତୁ ଅର୍ଥାତ ନଭେମ୍ବରରୁ ମେ’ ମାସ ମଧ୍ୟରେ ତାଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରେ । ଛତିଶଗଡରେ କଲମା ବ୍ୟାରେଜ ହେବା ଦିନରୁ ଅଣମୌସୁମୀ ଋତୁରେ ଆଗଭଳି ଆଉ ପାଣି ଆସୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/6-35.jpg)