ମାତ୍ର ୫୦ ହଜାର ଟଙ୍କାରେ ସାମଧାନ ହେଲା ୩୦ ବର୍ଷର ଜଳ ସମସ୍ୟା: ପାଣି ପାଇଁ ଆଉ ଯିବାକୁ ପଡୁନି ଗାଁ ଠାରୁ ୨ କିଲୋମିଟର ଦୂର 

127

କନକ ବ୍ୟୁରୋ: ବର୍ଷ ବର୍ଷର ଜଳ କଷ୍ଟ । ୩୦ ବର୍ଷ ଧରି ପିଇବା ପାଣି ପାଇଁ ହଇରାଣ ହେଉଥିଲେ ଲୋକେ । ସବୁ ପ୍ରକଳ୍ପ ଫେଲ । ନଳକୂପରୁ ବାହାରୁଥିବା ଆଇରନ ପାଣି ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଏବେ କିନ୍ତୁ ବଦଳିଯାଇଛି ଚିତ୍ର । କମ ଖର୍ଚ୍ଚରେ ହାତ ପାହାନ୍ତାରେ ପହଂଚିଛି ପାନୀୟ ଜଳ । ଶୁଦ୍ଧ ପିଇବା ପାଣି ପାଇବା ପରେ ମହିଳାଙ୍କ ମୁହଁରେ ମଧ୍ୟ ଫୁଟିଛି ହସ । ମାଲକାନଗିରି ମାଥିଲି ବ୍ଲକ ସଦର ପଂଚାୟତର ପିଇଓଙ୍କ ଅଭିନବ ଉପାୟ ଯୋଗୁଁ ୪ଟି ଗାଁରେ ପହଂଚି ପାରିଛି ପାଣି ।

ପାଣି ପାଇଁ ମହିଳା ଚାଲୁଥିଲେ ୨ କିଲୋମିଟର ରାସ୍ତା । ଗାଁରେ ଶୁଦ୍ଧ ପିଇବା ପାଣିର କୌଣସି ବିକଳ୍ପ ନଥିବାରୁ ୩୦ ବର୍ଷ ହେଲା ଲାଗି ରହିଥିଲା ଜଳକଷ୍ଟ । ହେଲେ ଏବେ ବଦଳିଯାଇଛି ଚିତ୍ର । ଘର ପାଖରେ ମିଳୁଛି ବିଶୁଦ୍ଧ ପିଇବା ପାଣି । ମାଲକାନଗିରି ମାଥିଲି ବ୍ଲକର ୪ଟି ଗାଁ ଓ ସାହିରେ ୩୦ ବର୍ଷ ଧରି ଲାଗି ରହିଥିବା ଜଳ ସମସ୍ୟାର ସମାଧାନ ହୋଇଛି । ଆଉ ପରିବାର ପାଇଁ ପାଣି ବୋହୁଥିବା ମହିଳାଙ୍କ ମୁହଁରେ ହସ ଫେରିଛି ।

ମାଥିଲି ପଂଚାୟତର ପିଇଓ ଅଶୋକ ମହାରଣା ବୋରୱେଲ୍ ମଟର ପାଣି ଯୋଗାଣ ପ୍ରକଳ୍ପ କରି ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚରେ ଡିଏନକେ କଲୋନୀ, ନୂଆଗୁଡା କଲୋନୀ, କମାରସାହି, ମୁଣ୍ଡାଗୁଡା ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି । ପୁରୁଣା ନଳକୂଅରେ ବୋରୱେଲ ମଟର ସଂଯୋଗ କରି ପାଣି ଯୋଗାଇ ଦିଆଯାଉଛି । ପ୍ରତିଦିନ ୨ ରୁ ୩ ଘଂଟା ମଟର ଦ୍ୱାରା ପାଣି ଉଠାଯାଉଛି । ମଟର ଚଳାଇବା ପାଇଁ ବ୍ୟବହାର ହେଉଥିବା  ବିଦ୍ୟୁତ ବିଲ, ପ୍ରକଳ୍ପର ରକ୍ଷଣାବେକ୍ଷଣା ଗ୍ରାମବାସୀମାନେ କରୁଛନ୍ତି ।

ଲୋକଙ୍କ ହାତ ପାହାନ୍ତାରେ ପିଇବା ପାଣି । ୩୦ ବର୍ଷ ଧରି ଲାଗି ରହିଥିବା ଜଳକଷ୍ଟକୁୁ ଦୂର କରିଛନ୍ତି ପଂଚାୟତ ଅଧିକାରୀ । ସମାନ୍ୟ ଖର୍ଚ୍ଚରେ ଉପକୃତ ହେଉଛନ୍ତି ଗ୍ରାମବାସୀ ।