ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪: କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ; ତ୍ରୁଟି ସୁଧାରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ

1,240

କନକ ବ୍ୟୁରୋ: ରାଜ୍ୟରେ ଆଜି ୨ ନୁହେଁ ବରଂ ଜଣେ କରୋନା ମୃତ । କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଗତକାଲି ଗଂଜାମ ଜିଲ୍ଲାରେ ହୋଇଥିବା ଦ୍ୱିତୀୟ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଥିଲା । ମାତ୍ର ମୃତକଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ମୃତ୍ୟୁ ସଂଖ୍ୟା କମାଇଛନ୍ତି ସରକାର ।

ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା । ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି ।

ଅନ୍ୟପଟେ ରାଜ୍ୟରେ ଆଜି ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା, ସୁନ୍ଦରଗଡ ଓ ସଂବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସଂବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ରାଜ୍ୟରେ ୨୨ ତମ ଜିଲ୍ଲା ଭାବେ ସଂବଲପୁରରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଂଟିନ୍ ସେଂଟରରୁ ବୋଲି ଜଣାପଡିଛି । ସବୁଠାରୁ ସଂବେଦନଶୀଳ କଥା ହେଉଛି ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଂଚ ରହିଛନ୍ତି । ୧୫ ନୂଆ ଆକ୍ରାନ୍ତଙ୍କ ସହିତ ଗଂଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୨୯୨ କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁର ୧୨୧, ବାଲେଶ୍ୱର ୧୧୯ , ଭଦ୍ରକ ୭୪, ଖୋର୍ଧା ୫୯ , ପୁରୀ ୨୫ , କଟକରେ ଆକ୍ରାନ୍ତ ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି ।