କନକ ବ୍ୟୁରୋ : କୃଷି ବିଲକୁ ବିରୋଧ କରି ଏନଡିଏର ହାତ ଛାଡିଦେଇଛି ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣୀ ଅକାଳି ଦଳ । କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ନେଇ ପଂଜାବ ସମେତ ସାରା ଦେଶରେ ଅସନ୍ତୋଷ ତେଜୁଥିବା ବେଳେ ଅକାଳି ଦଳ ଏନଡିଏ ଛାଡିବାକୁ ନିଷ୍ପତି ନେଇଛି । ସଂସଦରେ କୃଷି ବିଲ ଆଗତ ପୂର୍ବରୁ ଏହାକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦଳର ସାଂସଦ ହରସିମ୍ରତ କୌର ବାଦଲ ।

Advertisment

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ବି ଏନଡିଏର ସହଯୋଗୀ ଦଳ ଭାବେ ଅକାଳି ଦଳ ରହିବ ବୋଲି ସେତେବେଳେ କହିଥିଲେ ଦଳର ନେତା ସୁଖବୀର ସିଂ ବାଦଲ । ତେବେ କୃଷି ବିଲକୁ ନେଇ ପଂଜାବରେ ଚାଷୀ ଅସନ୍ତୋଷ ବଢ଼ୁଥିବାରୁ ଏନଡିଏ ଛାଡିବାକୁ ନିଷ୍ପତି ନେଇଛି ଶିରୋମଣୀ ଅକାଳି ଦଳ । ସୁଖବୀର ସିଂ ବାଦଲଙ୍କ ଅଧ୍ୟକ୍ଷତାରେ ଦଳର କୋର କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିଗତ ୨୨ ବର୍ଷ ଧରି ଏନଡିଏର ସହଯୋଗୀ ଦଳ ଭାବେ ରହି ଆସିଥିଲା ଶିରୋମଣୀ ଅକଳି ଦଳ ।