କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲା ୨୨ ମାସର ଶିଶୁ । ପଢନ୍ତୁ, କେମିତି ସହାୟ ହେଲା ଇକମୋ ଚିକିତ୍ସା?

135

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରେ ଜଟିଳ ଫୁସଫୁସ ସଂକ୍ରମଣରୁ ସୁସ୍ଥ ହୋଇଛି ଗୋଟିଏ ୨୨ ମାସର ଶିଶୁ କନ୍ୟା । ଚିକିତ୍ସା ବିଜ୍ଞାନର ଚମକ୍ରାରିତା କୁହନ୍ତୁ ବା ଡାକ୍ତରଙ୍କ ନିରନ୍ତର ପରିଶ୍ରମ, ମହାମାରୀ କବଳରୁ ମୁକ୍ତ ହୋଇଛି ଗୋଟିଏ କୁନି ଶିଶୁ ।

ତେବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଆସିବା ପରେ ଶିଶୁଟିକୁ ଏକମୋରେ ରଖି ଚିିକିତ୍ସା କରାଯାଉଥିଲା । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ୨୨ମାସର ଶିଶୁକନ୍ୟାଟି କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲା । କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନହେବାରୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା ।

ଏହାପରେ ତୁରନ୍ତ ତାଙ୍କୁ ଶିଶୁରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରି ଅକ୍ସିଜେନ ଲଗାଯାଇଥିଲା । ତେବେ ଜଟିଳ ଫୁସଫୁସ ସଂକ୍ରମଣ ଥିବାରୁ ଫୁସଫୁସକୁ ସଫା କରିବା ଜରୁରୀ ବୋଲି ଅନୁଭବ କରିଥିଲେ ବିଶେଷଜ୍ଞ ଡାକ୍ତର । ଏଥିପାଇଁ ତାଙ୍କୁ ଏକମୋ ଚିକିତ୍ସା ଅର୍ଥାତ କୃତ୍ରିମ ଉପାୟରେ ଅକ୍ସିଜେନ ଯୋଗାଇ ଦେଇ ଫୁସଫୁସକୁ ସାଲାଇନରେ ସଫା କରାଯାଇଥିଲା । ଏହି ଜଟିଳ ପ୍ରକ୍ରିୟାକୁ ସମ୍ପାଦନ କରିଥିଲେ ଏମ୍ସ ଶିଶୁ ରୋଗ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ । ୩୦ ଅଗଷ୍ଟ ଓ ୧୩ ସେପ୍ଟେମ୍ବରରେ ଏହି ଭଳି ଦୁଇ ଥର ଚିକିତ୍ସା କରିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ ଚମକ୍ରାର ଉନ୍ନତି ଦେଖାଯାଇଥିଲା । ଏବେ ଶିଶୁଟି ସୁସ୍ଥ ହେବା ସହ ହସ୍ପିଟାଲରୁ ଘରକୁ ଫେରିଛି ।