ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା ସତ୍ୟ ନାରାୟଣ ପୂଜା ।

275

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିର ଏକ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଶିଶୁକୁ ଆଜି ୨୧ ଦିନ ପୂରିଛି । ଭୀମସାରରେ ଶିଶୁଟିର ଚିକିତ୍ସା କରାଯାଇଥିବା ବେଳେ ଆଜି ତା’ର ଏକୋଇଶିଆ ପାଳନ କରାଯାଇଛି । ଆଉ ଏହି ଅବସରରେ ତା’ର ନାଁ ବିଜୟିନୀ ରଖାଯାଇଛି । ଏକୋଇଶିଆରେ ପୂରା ରୀତିନୀତି ସହ ସତ୍ୟନାରାୟଣ ପୂଜା ଓ କେକ୍୍ କଟା ଯାଇଛି ।
ତେବେ ଯାହା ଭାଗ୍ୟରେ ସୁଖ ଥିବ, ହସ ଥିବ, ତାକୁ କିଏ ବା’ କନ୍ଦେଇ ପାରିବ । ଯେଉଁ କୁନି ଝିଅର ଆୟୁଷ ଛଡ଼ାଇ ନେବାକୁ ଉଦ୍ୟମ ହୋଇଥିଲା, ସେଇ କୁନି ଝିଅକୁ ୨୧ଦିନ ଛୁଇଁଛି । ଆଉ ଏକୋଇଶିଆରେ ତାକୁ ନାଁ ମିଳିଛି, ବିଜୟିନୀ । ତେବେ ଯିଏ ମୃତ୍ୟୁକୁ ଜୟ କରି ଫେରିଛନ୍ତି, ସିଏ ବିଜୟିନୀ ନୁହେଁ ତ’ ଆଉ କ’ଣ?

ବିଜୟିନୀର ଏକୋଇଶିଆ ପାଇଁ ଭିମସାରରେ ହୋଇଥିଲା ବ୍ୟାପକ ଆୟୋଜନ । ସତ୍ୟନାରାୟଣ ପୂଜା ସହ କେକ୍ କଟା ଯାଇଛି । କୁନି ଝିଅର ଏକୋଇଶିଆରେ ମିଠା ବାଣ୍ଟି ଖୁସି ମନା ଯାଇଛି । ରେଙ୍ଗଲି ଥାନା ଲାରିପାଲି ଗାଁ ନିକଟରେ ଥିବା ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା କୁନି ଝିଅ । ଦୀର୍ଘ ସମୟ ଧରି ବୋରୱେଲ ଭିତରେ ପଡ଼ି ରହିଥିବା ଝିଅଟି ଉଦ୍ଧାର ହୋଇପାରିବ ନା’ ନାହିଁ । ଯଦି ଉଦ୍ଧାର ହେବ ବଞ୍ଚିବ ନା’ ନାହିଁ । କେତେ କଥା ଶୁଣିବାକୁ ମିଳୁଥିଲା । ହେଲେ ଭଗବାନଙ୍କ କରିସ୍ମା ଦେଖନ୍ତୁୁ, ଆଜି ଖୁସିରେ ଖେଳୁଛି ବିଜୟିନୀ ।

ଯେଉଁ ଝିଅ ଦିନେ ଅଲୋଡ଼ା ଥିଲା । ଅଲୋଡ଼ା ହୋଇ ମୃତ୍ୟୁର ଦ୍ୱାର ଯାଏଁ ପହଞ୍ଚିଯାଇଥିଲା । ସେଇ ଝିଅ ଆଜି ଅଲିଅଳି । ବିଜୟିନୀଙ୍କୁ ଝିଅ ଭାବେ କୋଳେଇ ନେବା ପାଇଁ ବାପା-ମା’ଙ୍କ ଲାଇନ୍ ଲାଗୁଛି । ଏଇ ପରିଚୟ ଟିକକ ଲୁଚାଇବା ପାଇଁ ସେଦିନ ଅମଣିଷମାନେ ବିଜୟିନୀକୁ ବୋରୱେଲକୁ ପିଙ୍ଗି ଦେଇଥିଲେ । ହେଲେ, ଝିଅଟି କେତେ ଭାଗ୍ୟବାନ ଦେଖନ୍ତୁ, ବିଜୟିନୀ ସହ ପରିଚୟ ଯୋଡ଼ିବା ପାଇଁ ତାଲିକା ଲମ୍ବୁଛି ।