କନକ ବ୍ୟୁରୋ: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥକୁ ସଫଳତା। ବୌଦ୍ଧ ପୁରୁଣା କଟକ ଓ ଚାରିଛକ ମଧ୍ୟରେ ୨ କିଲୋମିଟର ଲମ୍ବ ଟନେଲ୍ କାମ ଶେଷ। ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ପାଇଁ ଚାଲୁରହିଥିବା ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ସଂଯୋଗକୁ ବୃଦ୍ଧି କରିବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଠିକ ସମୟରେ ସମାପ୍ତ କରିବାକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଆସୁଅଛି, ରାଜ୍ୟର ବିକାଶକୁ ଏଥିରେ ପ୍ରାଥମିକତା ଦିଆଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Advertisment

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ଗୁଡିକ ସହିତ ସମନ୍ୱୟ ରଖି ବାଧା ଉପୁଜୁଥିବା ବିଷୟବସ୍ତୁକୁ ସମାଧାନ କରାଇ ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରିବାକୁ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ପାଇଁ ଯୋଜନା ହୋଇଥିବା ମୋଟ ୩୦୧ କିଲୋମିଟର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୩ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରର ଉଭୟ ପାର୍ଶ୍ୱରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ୭୭ କିଲୋମିଟର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି। ଏହାସହିତ, ଝରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ୧୬.୨୭ କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି ୨୭ କିଲୋମିଟର ଦୈର୍ଘ୍ୟ ରେଳପଥ କାର୍ଯ୍ୟ ବୌଦ୍ଧ ଠାରୁ ପୁରୁଣାକଟକ ମଧ୍ୟରେ ନିର୍ମାଣ ହୋଇସାରିଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ଏହା ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ରହିଥିବା ଦୂରତାକୁ ଯଥେଷ୍ଟ ହ୍ରାସ କରିବ।