ଆଜି ଖେଳାଯିବ ଆଇପିଏଲର ହଜାରେ ତମ ମ୍ୟାଚ୍ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍ ପାଇଁ ହୋଇଛି ସ୍ୱତନ୍ତ୍ର ଉତ୍ସବର ଆୟୋଜନ

80

କନକ ବ୍ୟୁରୋ: ୧୮ ଏପ୍ରିଲ ୨୦୦୮ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ତାରିଖ ଆଣିଦେଇଥିଲା ଏକ ନୂଆ ଉତ୍ସାହ । ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା କ୍ରିକେଟର ଏହି ମହାକୁମ୍ଭ । ଯାହାର କ୍ରେଜ୍ ପୂରା ବିଶ୍ୱରେ ଦେଖିବାକୁ ମିଳିଥିଲା । କାରଣ ପ୍ରଥମ ଥର ପାଇଁ ଏମିତି ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା, ଯେଉଁଥିରେ ଦେଶ ଦେଶ ମଧ୍ୟରେ ନୁହେଁ, ସବୁ ଦେଶର ଖେଳାଳୀଙ୍କ ମିଶ୍ରଣରେ ଗଢା ହୋଇଥିଲା ୮ଟି ଟିମ୍ । ଏଥିପାଇଁ ପ୍ରଥମେ ହୋଇଥିଲା ଅକ୍ସନ । ନିଲାମୀ ପ୍ରକ୍ରିୟାରେ ଖେଳାଳୀଙ୍କୁ କିଣି ବିଭିନ୍ନ ଫ୍ରାଞ୍ଚାଇଜ୍ ନିଜ ଟିମରେ ସାମିଲ କରିଥିଲେ । ପ୍ରଥମ ସଂସ୍କରଣର ବିଜେତା ବନିଥିଲା ରାଜସ୍ଥାନ ରୟାଲ୍ସ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରିଥିଲା ସେନ୍ ୱର୍ଣ୍ଣଙ୍କ ଟିମ୍ ରାଜସ୍ଥାନ ରୟାଲ୍ସ । ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ ଦିନେ ଯେ ଲୋକପ୍ରିୟତାର ଶିଖର ଛୁଇଁବ, ତାହା ସେତେବେଳେ କେହି ହୁଏତ ଭାବିନଥିଲେ । ଆଜି ବିଶ୍ୱର ସବୁ କ୍ରିକେଟ୍ ଲିଗଠୁ କାହିଁ କେତେ ଉଦ୍ଧ୍ୱର୍ରେ ରହିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଚଳିତ ବର୍ଷ ଖେଳାଯାଉଛି ଆଇପିଏଲର ୧୬ତମ ସଂସ୍କରଣ । ଏବଂ ଆଇପିଏଲ ଇତିହାସର ୧୦୦୦ତମ ମ୍ୟାଚ୍ ଆଜି ରାତିରେ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ।

ଏହି ୧୦୦୦ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆଇପିଏଲର ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍ସ । ଏହି ଐତିହାସିକ ମ୍ୟାଚକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ମଧ୍ୟ ଏକ ଉତ୍ସବର ଆୟୋଜନ କରିଛି । ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରିବେ । ଏହା ପରେ ଆଇପିଏଲ ବିଷୟରେ କହୁଥିବା କିଛି ଖେଳାଳୀଙ୍କ ଭିଡିଓ ପ୍ରସାରଣ କରାଯିବ । ବିସିସିଆଇ ଅଧିକାରୀମାନେ ଦୁଇ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ସଞ୍ଜୁ ସାମସନଙ୍କୁ ସ୍ମାରକୀ ପ୍ରଦାନ କରିବେ । ଆଉ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ଆରମ୍ଭ ଆଇପିଏଲର ୧୦୦୦ତମ ମ୍ୟାଚ୍ ।

ଆଇପିଏଲ ୧୦୦୦ ମ୍ୟାଚର କାହାଣୀ

  • ୨୦୦୮ରୁ ଆରମ୍ଭ ହୋଇଥିଲା ଆଇପିଏଲ୍ ଯାତ୍ରା
  • ୧୮ ଏପ୍ରିଲ ୨୦୦୮ରେ ଖେଳାଯାଇଥିଲା ଆଇପିଏଲର ପ୍ରଥମ ମ୍ୟାଚ୍
  • ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ଆଇପିଏଲ୍
  • ପ୍ରଥମ ଥର ପାଇଁ ଭିନ୍ନ ଶୈଳୀରେ ଖେଳାଯାଇଥିଲା କ୍ରିକେଟ୍
  • ଗୋଟିଏ ଟିମରେ ରହିଥିଲେ ବିଭିନ୍ନ ଦେଶର ଖେଳାଳୀ
  • ନିଲାମୀ ପ୍ରକ୍ରିୟାରେ ଖେଳାଳୀଙ୍କୁ କିଣିଥିଲେ ଫ୍ରାଞ୍ଚାଇଜ୍
  • ପ୍ରଥମ ସିଜିନର ଚାମ୍ପିୟନ୍ ହୋଇଥିଲା ରାଜସ୍ଥାନ ରୟାଲ୍ସ
  • ଫାଇନାଲ ମୁକାବିଲାରେ ଚେନ୍ନାଇକୁ ପରାସ୍ତ କରିଥିଲା ରାଜସ୍ଥାନ
  • ଆଇପିଏଲ୍ ଲୋକପ୍ରିୟତାର ଶିଖର ଛୁଇଁବ, କେହି ହୁଏତ ଭାବିନଥିଲେ
  • ଆଜି ବିଶ୍ୱର ସବୁ କ୍ରିକେଟ୍ ଲିଗଠୁ ଉଦ୍ଧ୍ୱର୍ରେ ରହିଛି ଆଇପିଏଲ
  • କ୍ରିକେଟର ପରିଚୟ ବଦଳାଇଦେଇଛି ଆଇପିଏଲ
  • ଚଳିତବର୍ଷ ଖେଳାଯାଉଛି ଆଇପିଏଲର ୧୬ତମ ସଂସ୍କରଣ
  • ଆଜି ଖେଳାଯିବ ଆଇପିଏଲର ୧୦୦୦ତମ ମ୍ୟାଚ୍
  • ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବ ଐତିହାସିକ ଲଢେଇ
  • ମୁହାଁମୁହିଁ ହେବେ ମୁମ୍ବାଇ ଓ ରାଜସ୍ଥାନ
  • ୫ଥରର ବିଜେତା ରହିଛି ମୁମ୍ବାଇ
  • ପ୍ରଥମ ସଂସ୍କରଣର ବିଜେତା ବନିଥିଲା ରାଜସ୍ଥାନ
  • ୧୦୦୦ତମ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ଉତ୍ସବର ହୋଇଛି ଆୟୋଜନ
  • ମ୍ୟାଚ୍ ପୂର୍ବରୁ ଆଜି ଜାତୀୟ ସଙ୍ଗୀତ ଗାନ କରାଯିବ

ଅନ୍ୟପଟେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ହେବ ଏକ ଐତିହାସିକ ଦିନ । କାରଣ ଆଇପିଏଲର ୧୦୦୦ତମ ମ୍ୟାଚ ଖେଳିବ ମୁମ୍ବାଇ । ସେପଟେ ଆଜି ହେଉଛି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜନ୍ମଦିନ । ଆଉ ନିଜ ଜନ୍ମଦିନରେ ଆଇପିଏଲର ୧୦୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ରୋହିତଙ୍କ ନେତୃତ୍ୱରେ ଆଇପିଏଲ ଇତିହାସରେ ଅନେକ ସଫଳତା ପାଇଛି ମୁମ୍ବାଇ । ରୋହିତ ଅଧିନାୟକତ୍ୱରେ ୫ ଥର ଆଇପିଏଲ ଟ୍ରଫି ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଆଜି ହିଟ୍ ମ୍ୟାନଙ୍କ ଜନ୍ମଦିନ ହୋଇଥିବାରୁ ଆଜିର ମ୍ୟାଚ୍ ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଅନେକ ଉତ୍ସାହ ଆଣିଦେଇଛି ।