କନକ ବ୍ୟୁରୋ: କେକେ କନ୍ଦାଉଥିଲେ, ପ୍ରେମ ନିବେଦନର ପରିଭାଷା ବୁଝାଉଥିଲେ । ଆଉ ବିରହରେ ଜଳୁଥିବା ପ୍ରେମୀ ଯୁଗଳଙ୍କୁ ମଧୁର କଣ୍ଠରେ ବୁଝାଇ ମନଜିଣୁଥିଲେ । କଲେଜ ପଢୁଆ ପୁଅ ହେଉ କି ମେଲୋଡିଅସ୍ ଗୀତକୁ ଭଲ ପାଉଥିବା ଶ୍ରୋତାଟେ, ସଭିଁଙ୍କ ହୃଦୟରେ ରାଜ୍ କରୁଥିଲେ ବଲିଉଡର ମେଲୋଡି କିଙ୍ଗ୍ କ୍ରିଷ୍ଣକୁମାର କୁାନ୍ନାଥ ଓରଫ କେକେ । ଗାଡ଼ିର ମ୍ୟୁଜିକ୍ ସିଷ୍ଟମଠୁ କଲେଜର କ୍ୟାଣ୍ଟିନ୍ ଭିତରୁ ଶୁଣାଯାଉଥିବା କେକେଙ୍କ ଗୀତ କାନରେ ପଡ଼ିବ ସତ କିନ୍ତୁ ସେ କହିଦେଇଥିବା ଅଲବିଦା ପ୍ରତିଟି କେକେ ଫ୍ୟାନ୍ସଙ୍କୁ କନ୍ଦାଇବ ।

Advertisment

ବଲିଉଡ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ କେକେଙ୍କର ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଦକ୍ଷିଣ କୋଲକାତାର ଏକ ଷ୍ଟେଜ ସୋ’ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହି ଲୋକପ୍ରିୟ ସିଙ୍ଗରଙ୍କ ପ୍ରକୃତ ନାମ କୃଷ୍ଣକୁମାର କୁନ୍ନାଥ । ସେ କେକେ ଭାବରେ ନିଜର ଫ୍ୟାନଙ୍କ ପାଖରେ ବେଶ ପରିଚିତ ଥିଲେ ।

ତାଙ୍କ ଜୀବନ କାଳରେ ସେ ଦେଇଥିଲେ ଅନେକ ହିଟ୍ ସଙ୍ଗୀତ । ବଲିଉଡର ଭାଇଜାନ ସଲମାନଙ୍କଠୁ ଆରମ୍ଭ କରି ଇମ୍ରାନ ହାସମୀ, ହ୍ରିତିକ୍ ରୋସନଙ୍କ ଭଳି ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ କେକେ ।
- ୧୯୬୮ ମସିହା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ କେକେ ଜନ୍ମ ଗ୍ରହଣ କରିଥିଲେ
- ପ୍ରଥମ ଥର ପାଇଁ ସେ ୧୯୯୬ରେ ଗୁଲଜାରଙ୍କ ହମ୍ ବ୍ୱ ଗଲିଆଁ ଗୀତ ଗାଇଥିଲେ । ଏହା ଏକ ଫିଲ୍ମର ଗୀତ ଥିଲା ।
- ୧୯୯୯ରେ ପଲ୍ ନାମକ ଏକ ଆଲବମରେ ଗୀତ ଗାଇଥିଲେ
- ୯ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବେଙ୍ଗଲୀ, ଆସାମୀ ଓ ଗୁଜରାଟୀ ଭାଷାରେ ୭ ଶହରୁ ଅଧିକ ଗୀତ ଗାଇଛନ୍ତି
- ସଲମାନ ଖାନ ଏବଂ ଐଶ୍ୟର୍ଯ୍ୟା ରାୟଙ୍କ ଅଭିନୀତ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମର ତଡପ ତଡପ ଗୀତରୁ ବଲିଉଡ ସଙ୍ଗୀତ ଜଗତରେ ପାଦ ଥାପିଥିଲେ
- ଅଭିଷେକ ବଚ୍ଚନଙ୍କ ଦସ ଫିଲ୍ମର ଟାଇଟେଲ ଟ୍ରାକ ଦସ୍ ବାହାନେ କରକେ ଲେ ଗେୟ ଦିଲ୍
- ପ୍ରିୟଙ୍କା ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଗୁଣ୍ଡେ ଫିଲ୍ମର ତୁନେ ମୋରି ଏଂଟ୍ରି ଇତ୍ୟାଦି ଅନେକ ଗୀତ ଗାଇଛନ୍ତି
-୫ଥର ଫିଲ୍ମ ଫେୟାର ଆୱାର୍ଡ ପାଇଁ ମନୋନୀତ
-୨୦୦୭ ସ୍କ୍ରିନ ଆୱାର୍ଡ ପାଇଁ ମନୋନୀତ, ୨୦୦୯ରେ ମିଳିଥିଲା ସ୍କ୍ରିନ ଆୱାର୍ଡ
-୬ ଥର ଆଇଫା ଆୱାର୍ଡ ପାଇଁ ମନୋନୀତ ମଧ୍ୟ ହୋଇଥିଲେ

ସବୁଠାରୁ ରୋଚକ କଥା ହେଲା କେକେ ସଙ୍ଗୀତ ଜଗତରେ ପାଦ ଥାପିବା ପୂର୍ବରୁ ଜଣେ ମାର୍କେଟିଂ ଏଜ୍ୟୁକେଟିଭ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ସ୍ୱପ୍ନ ଥିଲା ସେ ଜଣେ ଡାକ୍ତର ଭାବେ ଜନସେବା କରିବାକୁ କିନ୍ତୁ ଭାଗ୍ୟ ତାଙ୍କୁ ବଲିଉଡର ଆଧୁନିକ ସଙ୍ଗୀତ ଜଗତରେ ମେଲୋଡି କିଙ୍ଗ୍ ଭାବେ ପ୍ରସିଦ୍ଧି ଦେଇଥିଲା । ଆୱାର ପନ୍, ବଞ୍ଜାରାପନ୍, କ୍ୟା ମୁଝେ ପ୍ୟାର ହେ, ଆଖୋଁ ମେ ତେରୀ, ତୁ ଜାନେ ନା, ତୁ ହି ମେରା ସବ୍ ହେ, ଭଳି ଅନେକ ସୁପର ହିଟ୍ ଗୀତରେ ଝୁମାଇଛନ୍ତି କେକେ । ଏକବିଂଶ ଶତାଦ୍ଦୀରେ ପ୍ରତିଟି ଗୀତ ଜରିଆରେ ପ୍ରେମ ଓ ବିରହକୁ ବୁଝାଇଥିବା କେକେ ତୁମେ ଆଜି ଆମ ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଗଲ, କିନ୍ତୁ ତୁମ ଗୀତ ସବୁବେଳେ ଆମ ଗହଣରେ ଅମର ରହିବ । ଅଲବିଦା କେକେ...