ଫାର୍ମାସିଷ୍ଟ ହବ ତ ଏମିତି : ଗର୍ଭବତୀ ମହିଳାଙ୍କୁ ବୋଟ୍ ଆଂବୁଲାନ୍ସକୁ ନେବା ପାଇଁ ଷ୍ଟ୍ରେଚର ବୋହିଲେ ଫାର୍ମାସିଷ୍ଟ ; ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା

169

କନକ ବ୍ୟୁରୋ : ଫାର୍ମାସିଷ୍ଟ ହବ ତ ଏମିତି । ଗର୍ଭବତୀଙ୍କ ପାଇଁ ଷ୍ଟ୍ରେଚର ବୋହିବାକୁ ଆଗେଇ ଆସିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ପହଁଚାଇ ଦେଲେ ଗାଡିରୁ ଆଣି ବୋଟ୍ ଆମ୍ବୁଲାନ୍ସରେ । କାଦୁଅ ରାସ୍ତା ପାର କରାଇବାରେ ଗର୍ଭବତୀଙ୍କ ପରିବାର ଲୋକଙ୍କୁ ଫାର୍ମାସିଷ୍ଟଙ୍କ ଏପରି ସହାୟତା ଏବେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା ଦେଉଛି ।

ଲୋକଙ୍କ ମୁହଁରେ ଗୋଟିଏ କଥା, ଫାର୍ମାସିଷ୍ଟ ହବ ତ ଏମିତି । ରାଜନଗରର କେରୁଆଁପାଳ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ୧୦୮ ଆଂବୁଲାନ୍ସ ଯୋଗେ କୋଠିଘାଟକୁ ଆଣୁଥିବା ବେଳେ ବାଟରେ ପଡିଥିଲା କାଦୁଅ ରାସ୍ତା । ଏତିକି ବେଳେ ଅଡୁଆରେ ପଡିଥିଲେ ପରିବାର ଲୋକ । ଆଂବୁଲାନ୍ସରେ ଥିବା ଫାର୍ମାସିଷ୍ଟ ବିଜୟ ସୁନ୍ଦର ଜେନା ଏତିକି ବେଳେ ଷ୍ଟ୍ରେଚର ବୋହିବାକୁ ଆଗେଇ ଆସିଥିଲେ ।

ଫଳରେ ତୁରନ୍ତ ଗର୍ଭବତୀ ମହିଳାଙ୍କୁ ବୋଟ୍ ଆମ୍ବୁଲାନ୍ସ ଯୋଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପାରିଥିଲା । ସେଠାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଜଟିଳ ସ୍ଥିତିରେ ଫାର୍ମାସିଷ୍ଟ ଯେପରି ଗର୍ଭବତୀ ମହିଳାଙ୍କ ପ୍ରତି ସହାୟତାର ହାତ ବଢାଇଲେ ତାହାକୁ ସବୁଠାରେ ପ୍ରଶଂସା କରାଯାଉଛି ।