ଥମୁନି ନିଟ ବିବାଦ ,ଆକ୍ସନ ମୋଡରେ ସିବିଆଇ ,ଦାୟର କଲା ଫୌଜଦାରୀ ମାମଲା ।ଏପଟେ ନିଟ ପିଜି ପ୍ରବେଶିକା ରହିଲା ସ୍ଥଗିତ ।

108

କନକବ୍ୟୁରୋ: ନିଟ ପରୀକ୍ଷାରେ ଅନିୟମିତତା ମାମଲାରେ ସକ୍ରିୟ ହୋଇଛି ସିବିଆଇ । ଶିକ୍ଷାମନ୍ତ୍ରାଳୟର ଅଭିଯୋଗ ଅଧାରରେ ମାମଲା ରୁଜୁ ହେବା ପରେ ଛାନବିନ୍କୁ ବ୍ୟାପକ କରିଛି ତଦନ୍ତକାରୀ ସଂସ୍ଥା । ଅପରାଧିକ ମାମଲା ରୁଜୁ କରିବା ପରେ ଗୁଜୁରାଟ ଏବଂ ବିହାରକୁ ଟିମ୍ ପଠାଇଛି ସିବିଆଇ । ସୂୂଚନା ଅନୁସାରେ ମେ ୫ ତାରିଖରେ ହୋଇଥିବା ପରୀକ୍ଷାରେ ଅନିୟମିତତା ଓ ଠକେଇ ହୋଇଛି । ପେପର୍ ଲିକ୍ ଘଟଣାର ଲିଙ୍କ୍୍ ନେଇ ସାରା ଦେଶରେ ଖୋଳତାଡ଼ ଚାଲିଥିବାବେଳେ ମହାରାଷ୍ଟ୍ରରୁ ୨ ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ରବିବାର ହେବାକୁ ଥିବା ନିଟ୍ ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ପରୀକ୍ଷା ତାରିଖ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ପ୍ରବେଶିକାରେ ଅନିୟମିତତା ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେପଟେ ବିବାଦ ଭିତରେ ନିଟ୍-ୟୁଜି ପରୀକ୍ଷା ହୋଇଛି । ଦେଶରର ୬ଟି ସହରରେ ଗ୍ରେସ ମାର୍କ ପାଇଥିବା ୧୫୬୩ ପିଲା ଆଉ ଥରେ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୨ଟାରୁ ୫ଟା୨୦ ପର୍ଯ୍ୟନ୍ତ ପୁନଃ ପରୀକ୍ଷା ହୋଇଥିଲା ।

ଏପଟେ ନିଟ୍ ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରୀୟଙ୍କା ଗାନ୍ଧୀ । ଶିକ୍ଷା ମାଫିଆଙ୍କ ଆଗରେ ମୋଦୀ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିିଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ସ୍ଥିତି ଏଭଳି ହୋଇଛି ଯେ ସରକାର ସ୍ୱଚ୍ଛତାର ସହ ପରୀକ୍ଷା ମଧ୍ୟ କରି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଏପଟେ କିନ୍ତୁ ପ୍ରିୟଙ୍କାଙ୍କ ଅଭିଯୋଗ ରାଜନୈତିକ ଉର୍ଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହିଛି । ଗୋଟିଏ ପଟେ ନିଟ୍ ପରୀକ୍ଷାକୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଥିବା ବେଳେ ଆଉ ଗୋଟିଏ ପଟେ ସିବିଆଇ ଘଟଣାରେ ଛାନବିନକୁ ବ୍ୟାପକ କରାଯାଇଛି ।