ଦେଶରେ ଥମୁନି କରୋନାର ବେଗ । ୨୯ ଲକ୍ଷ ଟପିଲା ମୋଟ୍ ସଂକ୍ରମଣ ସଂଖ୍ୟା : ଅଗଷ୍ଟ ମାସ ସଂକ୍ରମଣରେ ଆମେରିକା ଓ ବ୍ରାଜିଲକୁ ଟପିଲା ଭାରତ

152

କନକ ବ୍ୟୁରୋ : ଦେଶରେ ୨୯ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା । ଉଭୟ ୱାଲଡୋମିଟର ଓ ଟାଇମ୍ସ ଇଣ୍ଡିଆର ତଥ୍ୟ ଅନୁସାରେ ପ୍ରାୟ ୬୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ପାର ହୋଇଛି । ସେପରି ଆଉ ୯୮୧ ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୪ ହଜାର ୯୭୫ରେ ପହଂଚିଥିବା ୱାଲଡୋମିଟର ଦର୍ଶାଇଛି । ଦେଶରେ ୨୧ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଲେଣି । ତେବେ ସାଂଘାତିକ ତଥ୍ୟ ହେଉଛି ଅଗଷ୍ଟ ମାସରେ ଭାରତରେ ହିଁ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛି । ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ ଭାରତରେ ପ୍ରାୟ ୧୨ ଲକ୍ଷ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବାଧିକ ।

ଅଗଷ୍ଟରେ ଏ ପର୍ଯ୍ୟନ୍ତ ଆମେରିକାରେ ପ୍ରାୟ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ପ୍ରାୟ ୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଅଗଷ୍ଟ ମାସରେ ଆମେରିକା ଓ ବ୍ରାଜିଲ ପଛକୁ ଭାରତରେ ଅଧିକ ମୃତ୍ୟ ଘଟିଛି । ପୁରା ଜୁଲାଇ ମାସରେ ଭାରତରେ ପ୍ରାୟ ୧୧ ଲକ୍ଷ ନୂଆ ସଂକ୍ରମଣ ସାମ୍ନାକୁ ଆସିଥିଲା । ତେବେ ମୋଟ୍ ସଂକ୍ରମଣ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ଆମେରିକାରେ ଏବେ ମୋଟ ସଂକ୍ରମଣ ୫୭ ଲକ୍ଷ ଟପିଥିବା ବେଳେ ବ୍ରାଜିଲରେ ମୋଟ୍ ସଂକ୍ରମଣ ୩୫ ଲକ୍ଷକୁ ଟପିଯାଇଛି । ଆମେରିକାରେ କରୋନାରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଜୀବନ ଯାଇଥିବା ବେଳେ ବ୍ରାଜିଲରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଜୀବନ ଗଲାଣି ।