କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ଜାରି ରଖିଛି । ୪ ମ୍ୟାଚରୁ ୪ଟିରେ ବିଜୟୀ ହେବା ସହ ସେମିଫାଇନାଲ ଆଡକୁ ଅଗ୍ରସର ହୋଇଛି । ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ୫ମ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେନି । ଅନ୍ୟପଟେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ଆସୁଥିବା ସାର୍ଦ୍ଦୁଳ ଠାକୁରଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଡୋଡା ଗଣେଶ । ସେ କହିଛନ୍ତି ରାଜ୍ୟ ଟିମର ଚୂଡାନ୍ତ ଏକାଦଶରେ ମଧ୍ୟ ସାର୍ଦ୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିବନି ।

Advertisment

ଡୋଡା ଗଣେଶ କହିଛନ୍ତି, ନିଜ ବୋଲିଂ ଆଧାରରେ କୌଣସି ବି ଫର୍ମାଟରେ ନିଜ ରାଜ୍ୟ କର୍ଣ୍ଣାଟକର ଚୂଡାନ୍ତ ଏକାଦଶରେ ମଧ୍ୟ ସାର୍ଦ୍ଦୁଳ ସ୍ଥାନ ପାଇବାକୁ ସଂଘର୍ଷ କରିବେ । ଟିମ୍ ଇଣ୍ଡିଆ କଥା ତ ଛାଡିଦିଅନ୍ତୁ । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ଛାଡିଦେଲେ ବାକି ୩ଟି ମ୍ୟାଚରେ ସାର୍ଦ୍ଦୁଳଙ୍କୁ ସୁଯୋଗ ମିଳିଛି । କିନ୍ତୁ ଏହି ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ସାର୍ଦ୍ଦୁଳ । ଚଳିତ ବିଶ୍ୱକପରେ ସାର୍ଦ୍ଦୁଳ ୩ଟି ମ୍ୟାଚରୁ ମାତ୍ର ୨ଟି ୱିକେଟ ହାସଲ କରିଛନ୍ତି । କିନ୍ତୁ ଏଥିପାଇଁ ଅଧିକ ରନ୍ ବ୍ୟୟ କରିଛନ୍ତି । ବୋଲର ଭାବେ ଦଳରେ ସ୍ଥାନ ପାଉଥିଲେ ମଧ୍ୟ ସାର୍ଦ୍ଦୁଳ ପ୍ରଭାବୀ ପ୍ରଦର୍ଶନ କରିବାରେ ବାରମ୍ବାର ବିଫଳ ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସାର୍ଦ୍ଦୁଳ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କାରଣ ଆଘାତ ସମସ୍ୟା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେନି । ଅନ୍ୟପଟେ ହାର୍ଦ୍ଦିକଙ୍କ ସ୍ଥାନରେ ସାମି କିମ୍ବା ଅଶ୍ୱିନୀଙ୍କୁ ଦଳରେ ସାମିଲ କରାଯାଇପାରେ ।