ଓଡ଼ିଶାରେ ଫଳିଛି ଥାଇଲାଣ୍ଡ କୋଳି । ଯୁବଚାଷୀ ଦିଲ୍ଲୀପଙ୍କ ନିଆରା ପ୍ରୟାସ ।

198

କନକ ବ୍ୟୁରୋ : ଦେଶ ବିଦେଶରୁ ହାଇବ୍ରିଡ୍ ପନିପରିବା ଚାରା ଆଣି ଓଡ଼ିଶା ମାଟିରେ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି । ଠିକ ସେହିପରି ଥାଇଲାଣ୍ଡର ବରକୋଳି ଚାଷ କରି ପୁରୀ ଜିଲ୍ଲା ବଳଙ୍ଗା ଉଛୁପୁର ନୂଆସାହିର  ଶିକ୍ଷିତ ଯୁବଚାଷୀ ଦିଲ୍ଲୀପ ବିଶ୍ୱାଳ ପ୍ରେରଣାର ଉତ୍ସ ପାଲଟିଛନ୍ତି । କରୋନା ସମୟରେ କାମ ଧନ୍ଦା ହରାଇ ନୂଆ କିଛି କରିବାର ଉପାୟ ଖୋଜୁ ଖୋଜୁ ଏଭଳି ଏକ ଚାଷ କରିବା ପାଇଁ ମନବଳାଇଥିଲେ ଦିଲ୍ଲୀପ । ଅନଲାଇନରେ ଏହି ଚାଷ ସମ୍ପର୍କରେ ଜାଣିବାକୁ ପାଇ ନିଜ ଜମିରେ ଏହାର ପ୍ରୟୋଗ କରିଥିଲେ । ଦିଲ୍ଲୀପ ଏବଂ ତାଙ୍କ ବାପାଙ୍କ ପରିଶ୍ରମ ଯୋଗୁଁ ଏବେ ତାଙ୍କ ଜମିରେ ଫଳିଛି ଥାଇଲାଣ୍ଡ କୋଳି । ଏହାକୁ ନିକଟସ୍ଥ ବଜାରରେ ବିକ୍ରୟ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଦିଲ୍ଲୀପ ।

କିଛି ନୂଆ କରିବାର ଇଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳିଥାଏ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ଉଛୁପୁର ନୂଆସାହିର ଶିକ୍ଷିତ ଯୁବଚାଷୀ  ଦିଲ୍ଲୀପ ବିଶ୍ୱାଳ । କଲିକତା ଏଜେଣ୍ଟଙ୍କ ଜରିଆରେ ସୂଦୁୁର ଥାଇଲାଣ୍ଡରୁ ବରକୋଳି ଚାରା ଆଣି ନିଜ ଜମିରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି । ଏଥିରୁ ସେ ଲାଭ ପାଇବା ସହ ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି । ଆଉ ଅନ୍ୟ ଯୁବପୀଢିଙ୍କୁ ନୂଆ କିଛି କରିବାର ପ୍ରେରଣା ଯୋଗାଇଛନ୍ତି । ଚାରି ମାସ ତଳେ ନିଜ ଜମିରେ ୧୫୦ ଚାରା ଲଗାଇଥିଲେ । ବାତ୍ୟା ଜୱାଦ ପ୍ରଭାବରେ ଜମିରେ ପାଣି ଜମି ରହିବା ଯୋଗୁଁ ଅନେକ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଉ ଏବେ ଯେତିକି ଗଛ ଅଛି ତାର ଉପଯୁକ୍ତ ଯତ୍ନ ନେଉଛନ୍ତି ।

ପ୍ରଥମେ ଦିଲ୍ଲୀପଙ୍କ ଏହି ଚାଷକୁ ସ୍ଥାନୀୟ ଚାଷୀ ନାପସନ୍ଦ କରିଥିଲେ । ହେଲେ ହାର ମାନି ନଥିଲେ ଦିଲ୍ଲୀପ । ନିଜେ ପରିଶ୍ରମ କରିବା ପରେ ଏଥିରେ ଲାଭବାନ ହୋଇଥିଲେ । ଏହି ଥାଇଲ୍ୟାଣ୍ଡ କୋଳିର ଗୋଟିଏ ଗଛରୁ ପ୍ରାୟ ୮ ରୁ ୧୦ କେଜି କୋଳି ଫଳୁଛି । ଯାହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ଏଥିରୁ ସେ ଲାଭବାନ ହୋଇପାରୁଛନ୍ତି । ଦିଲ୍ଲୀପଙ୍କ ଏଭଳି ନୂଆ ଧରଣର ଚାଷକୁ ତାଙ୍କ ବାପା ସହମ୍ମତି ଜଣାଇବା ସହ ପୁଅର ମନୋବଳ ବଢ଼ାଇଛନ୍ତି । ଏହା ସହ ପୁଅର ପରାମର୍ଶକ୍ରମେ ଗଛଗୁଡ଼ିକର ଯତ୍ନ ମଧ୍ୟ ନେଉଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକେ ଏବେ ଦିଲ୍ଲୀପଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ।  ଅନେକ ଦିଲ୍ଲୀପଙ୍କ ପରାମର୍ଶରେ ଥାଇଲ୍ୟାଣ୍ଡ କୋଳି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଦିଲ୍ଲୀପ  ଶିକ୍ଷିତ ହୋଇଥିଲେ ମଧ୍ୟ ବେକାର ନରହି ଏକ ଭିନ୍ନ ଚାଷ କରି ଯୁବ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।