ଓଡ଼ିଶା ମାଟିରେ ଥାଇଲାଣ୍ଡ କୋଳି । ଚର୍ଚ୍ଚାରେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ

195

କନକ ବ୍ୟୁରୋ: ପେଷା ପୋଲିସ ଚାକିରି କିନ୍ତୁ ନିଶା କିଛି ନୂଆ ପ୍ରଣାଳୀରେ ଚାଷ କରିବା । ବିଦେଶରୁ ଚାରା ଆଣି ଗଞ୍ଜାମ ମାଟିରେ ଥାଇଲାଣ୍ଡ ବରକୋଳି ଫଳାଇଛନ୍ତି ଜଣେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ । ତାଙ୍କର ଏହି ଚାଷକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ବଜାରରେ ଚାହିଦା ମଧ୍ୟ ବଢିଛି ।

ଓଡ଼ିଶା ମାଟିରେ ଥାଇଲାଣ୍ଡ କୋଳି । ପତର ଯେତିକି ଫଳ ମଧ୍ୟ ଫଳିଛି ସେତିକି । ଏହି ଚାଷ ଭଲ ଅମଳ ଦେଉଥିବା ବେଳେ ବଜାରରେ ଏହାର ମୂଲ୍ୟ ୧୦୦ରୁ ୧୨୦ ଟଙ୍କା ରହୁଛି । ଏହି କୋଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାକୁ କିଣିବାକୁ ଲୋକଙ୍କ ଚାହିଦା ବଢୁଛିି । ୨ ଏକର ଜମିରେ ପାଖାପାଖି ୮୦୦ ଚାରା ଲଗାଇଛନ୍ତି ଗଞ୍ଜାମ ଖଲିକୋଟ୍ ବ୍ଲକ ଅନ୍ତର୍ଗତ ବାହାଡ଼ାପଲ୍ଲୀ ଗାଁର ବି. ରଞ୍ଜନ ପ୍ରଧାନ । ରଞ୍ଜନ ପେଶାରେ ଜଣେ ପୋଲିସ କନଷ୍ଟେବଳ । କିନ୍ତୁ ନିଶା ତାଙ୍କର ନୂଆ ପ୍ରଣାଳୀରେ ଚାଷ କରିବା ।

କରୋନା ପାଇଁ ଗତବର୍ଷ ବିଲରେ ହୋଇଥିବା ଚାଷ ବିକ୍ରି ହୋଇପାରିନଥିଲା ତେଣୁ ନୂଆ ଫସଲ କରିବା ପାଇଁ ଚିନ୍ତା କରିଥିଲେ ରଞ୍ଜନ । ତାଙ୍କ ବନ୍ଧୁଙ୍କ ପରାମର୍ଶରେ ଜମିରେ ଆରମ୍ଭ କରିଛନ୍ତି ଥାଇଲାଣ୍ଡ ବରକୋଳି । ଚାଷୀ ଘର ପୁଅ ହୋଇଥିବାରୁ ଚାଷ ପ୍ରତି ତାଙ୍କର ପିଲାଦିନରୁ ଦୁର୍ବଳତା ରହିଛି । ତେଣୁ ଚାକିରିରୁ ଅବସର ସମୟ ମିଳିଲେ ଚାଷ କାମରେ ଲାଗିପଡ଼ନ୍ତି ରଞ୍ଜନ । ତାଙ୍କର ପୁରା ପରିବାର ଏହି ଚାଷରେ ତାଙ୍କୁ ସହଯୋଗ କରନ୍ତି ।

ରଞ୍ଜନ ଖାଲି ଥାଇଲାଣ୍ଡ ବରକୋଳି ନୁହେଁ ତାଙ୍କ ଜମିରେ କରିଛନ୍ତି ନାଲି ଓ ଅନ୍ୟାନ ରଙ୍ଗର କୋବି ଚାଷ । ରଂଜନଙ୍କ ଏହି ଚାଷ ସ୍ଥନୀୟ ଅଞ୍ଚଳର କିଛି ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛି । ଧିରେ ଧିରେ ଏହି ଚାଷ ପ୍ରତି ମନବଳାଉଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ।