୨ ଏକର ଜମିରେ ଲାଗିଛି ଗ୍ରୀନ ଆପଲ ବରକୋଳି । ବିଦେଶୀ ଫଳ ଚାଷ କରି ଲାଭବାନ ହୋଇଛନ୍ତି ବାଲେଶ୍ୱର ହଳିଶ ଅଂଚଳର ସର୍ବେଶ୍ୱର

182

କନକ ବ୍ୟୁରୋ : ଗଛରେ ପତର ଯେତିକି, ଫଳ ବି ସେତିକି । ପ୍ରଚୁର ପରିମାଣର ଫଳ ଫଳିଥିବାରୁ ଗଛ ମଧ୍ୟ ନଇଁ ରହିଛି । ଗଛ ଠାରୁ ଫଳର ଓଜନ ଅଧିକ ରହିଥିବାରୁ ଏହାକୁ ବାଉଁଶରେ ବାନ୍ଧି ରଖିବାକୁ ପଡ଼ୁଛି । ୨ ଏକର ଜମିରେ ଲାଗିଛି ଗ୍ରୀନ ଆପଲ ବରକୋଳି । ଏହି ଚାଷ କରିଛନ୍ତି ବାଲେଶ୍ୱର ସିମୁଳିଆ ବ୍ଲକ ହଳିଶ ଅଂଚଳର ସର୍ବେଶ୍ୱର ସାହୁ । ୟୁଟ୍ୟୁବ୍ ଦେଖି ପଡ଼ିଆ ଜମିରେ ଲଗାଇଛନ୍ତି ୧ ହଜାର ବରକୋଳି ଗଛ । ଏବେ ଅମଳ ସମୟ ହୋଇଥିବା ବେଳେ ଫଳ ତୋଳିବାରେ ବ୍ୟସ୍ତ ଅଛନ୍ତି ଚାଷୀ । ବରକୋଳି ଚାଷ କରି କିଛି ରୋଜଗାର କରୁଛନ୍ତି ସର୍ବେଶ୍ୱର ।

୨ ବର୍ଷ ହେଲା ଏହି ଚାଷ କରି ଭଲ ରୋଜଗାର କରୁଛନ୍ତି ସର୍ବେଶ୍ୱର । ଚଳିତ ବର୍ଷ ଏହି ଚାଷରୁ ତାଙ୍କୁ ୪ଲକ୍ଷ ଟଙ୍କାର ରୋଜଗାର ମିଳିଥିବା ସେ କହିଛନ୍ତି । ଏଥିରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତି । ସ୍ଥାନୀୟ ବଜାର ସହ ବ୍ୟବସାୟୀ ମାନେ ତାଙ୍କ ବାଡ଼ି ନିକଟକୁ ଆସି ଫଳ କିଣି ନେଉଛନ୍ତି । ଯାହା ଫଳରେ ବିକ୍ରି କରିବାରେ ତାଙ୍କୁ କୌଣସି ଅସୁବିଧା ହେଉନାହିଁ ।

କୋଳି କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ବଜାର ସହ ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱରକୁ ବିକ୍ରି ପାଇଁ ପଠାଉଛନ୍ତି ସର୍ବେଶ୍ୱର । ଏହି ଗଛ ଥରେ ଲଗାଇଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅମଳ ଦେଇଥାଏ ଏହି ଚାଷ ।