ପୁଅର ସାକ୍ଷୀରେ ବାପାଙ୍କୁ ଦଣ୍ଡ : ଜେଜେ ମା’ଙ୍କ ହତ୍ୟା ମାମଲାରେ ସାକ୍ଷୀ ଦେଲା ନାତି

176

କନକ ବ୍ୟୁରୋ : ପୁଅର ବୟାନରେ ବାପାକୁ ଜେଲ । ମାତୃ ହତ୍ୟାକାରୀ ବାପାଙ୍କ ବିରୋଧରେ ସାକ୍ଷୀ ଦେଲା ପୁଅ । ଜେଜେ ମାଆର ହତ୍ୟାକାଣ୍ଡରେ ପୁଅର ସାକ୍ଷୀକୁ ଆଧାର କରି ହତ୍ୟାକାରୀ ବାପାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜେଜେ ମା’ଙ୍କ ହତ୍ୟାକାଣ୍ଡରେ ନାତି ସାକ୍ଷୀ । ସାକ୍ଷ୍ୟ ଗ୍ରହଣ ସମୟରେ ହତ୍ୟାକାଣ୍ଡରେ ନିଜ ବାପାଙ୍କ ସଂପୃକ୍ତି ସଂପର୍କରେ ଖୋଲାଖୋଲି ପ୍ରକାଶ କରିଥିଲେ ପୁଅ ।

ଏହାପରେ ନବରଙ୍ଗପୁର ଅତିରକ୍ତ ଜିଲ୍ଲା ଦୌରାଜଜ୍ ରାୟ ଶୁଣାଇବା ସହିତ ଅଭିଯୁକ୍ତ ନବୀନ ଅମାନତ୍ୟକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ୫ହଜାର ଟଙ୍କାର ଜରିମାନା କରିଛନ୍ତି । ନବରଙ୍ଗପୁର ସହର ଦାରୁବନ୍ଧ ସାହି ପୋଖରୀ ହିଡ଼ ବସ୍ତିରେ ରହୁଥିବା ୬୪ ବର୍ଷିୟ ଜେମା ଅମାନତ୍ୟଙ୍କ ଭତା ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲା ପୁଅ । ଏଥିପାଇଁ ନିଜ ମା’ଙ୍କୁ ହତ୍ୟା କରିବାକୁ ବି ପଛେଇ ନଥିଲା । ୨୦୨୨ ମାର୍ଚ୍ଚ ୧୯ତାରିଖରେ ଅତିନିର୍ମମ ଭାବେ ମାଆଙ୍କୁ ହତ୍ୟା କରିଥିଲେ ନବୀନ ଅମାନତ୍ୟ । ସେତେବେଳେ ତାଙ୍କୁ ଗିରଫ କରିଥିଲା ପୁଲିସ । ହତ୍ୟା ମାମଲା ରୁଜୁ କରି ନବରଙ୍ଗପୁର ପୁଲିସ ।

ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାରାଧୀନ ରହିଥିଲା ଏହି ମାମଲା । ପର୍ଯ୍ୟାୟକ୍ରମେ ଶୁଣାଣି ହୋଇଥିବା ଏହି ମାମଲାରେ ମୋଟ ୨୦ଜଣଙ୍କ ସାକ୍ଷୀ ନିଆଯାଇଛି । ସେଥିରେ ଜଣେ ମୃତ ମହିଳାଙ୍କ ନାତୀ ତଥା ଅଭିଯୁକ୍ତଙ୍କ ନାବାଳକ ପୁଅର ସାକ୍ଷ୍ୟ ନିଆଯାଇଛି । ହତ୍ୟା ଭଳି ସଙ୍ଗୀନ ମାମଲାରେ ବାପା ବିରୋଧରେ ପୁଅ ସାକ୍ଷୀ ହୋଇ କୋର୍ଟରେ ଠିଆ ହୋଇଥିଲା । ମୃତ ମହିଳାଙ୍କ ନାତି ତଥା ଅଭିଯୁକ୍ତର ପୁଅଙ୍କ ବୟାନ ଆଧାରରେ ହତ୍ୟାକାରୀକୁ ଜେଲଦଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ।