କନକ ବ୍ୟୁରୋ: ରାତି ପାହିଲେ ଦୀପାବଳି । ସାରା ଦେଶରେ ବେଶ୍ ଉତ୍ସାହର ସହ ପାଳନ ହେବ ଏହି ଉତ୍ସବ । ହେଲେ ପ୍ରଶାସନର ସ୍ଥାଣୁତା ଯୋଗୁଁ ଝାରସୁଗୁଡା ତେତଲିଆବାହାଲ ଗାଁରେ ସବୁବେଳେ ଦୀପାବଳିର ଦୃଶ୍ୟ । ସଂଧ୍ୟା ହେଲେ ଘର ଆଗରେ ଓ ଘର ଭିତରେ ଜଳେ ଡିବିରି । ହୀରାକୁଦ ନଦୀବନ୍ଧ ପାଇଁ ଭିଟାମାଟି ହରାଇ ସାଗରପାଲିରୁ ବିକ୍ରମଖୋଲ ଜଙ୍ଗଲରେ ବସତି ସ୍ଥାପନ କରିଛନ୍ତି ବିସ୍ଥାପିତ । ହୀରାକୁଦରୁ ବିଦ୍ୟୁତ୍ ଉତ୍ପାଦନ ହୋଇ ରାଜ୍ୟ ବାହାରକୁ ରପ୍ତାନି ହେଉଥିବା ବେଳେ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ବିସ୍ଥାପିତ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖିପାରିନାହାନ୍ତି ।
ଫାଇଭ-ଜି ଯୁଗରେ ଡିବିରି ଆଲୁଅରେ ଚାଲିଛି ପାଠପଢ଼ା । ସଂଧ୍ୟା ହେଲେ ଡିବିରି ଆଲୁଅ ଏମାନଙ୍କର ସାହାରା । ଏଠି ବିଜୁଳି ଆଲୋକ ଯେମିତି ସାତ ସପନ ପାଲଟିଛି । ଏ ଦୃଶ୍ୟ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ଅନ୍ତର୍ଗତ ତେତଲିଆବାହାଲ ଗାଁର । ଟିଭି, ଫ୍ୟାନ୍ ଭଳି ବୈଦୁତିକ ଉପରକରଣର ବ୍ୟବହାରରୁ ଏମାନେ ବଂଚିତ । ଗାଁରେ ପାଖାପାଖି ୨୨ଟି ପରିବାର ରହୁଥିବ ବେଳେ ଗାଁ ଚାରିପାଖକୁ ଘେରି ରହିଛି ଘଂଚ ଜଙ୍ଗଲ । ପାଠପଢ଼ିବା ପାଇଁ ସ୍କୁଲ ତ ଦୂରର କଥା ଅଙ୍ଗନବାଡ଼ିଟିଏ ନଥିବାରୁ ଗାଁ ଠାରୁ ୫ କିଲୋମିଟର ରାସ୍ତା ଚଲି ଚାଲି ଯାଆନ୍ତି ଛୋଟପିଲା । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳ ଶୁନ୍ ।
ପୂର୍ବରୁ ତେତଲିଆବାହାଲ ଗାଁର ବାସିନ୍ଦା ହୀରାକୁଦ ବୁଡ଼ି ଅଂଚଳର ସାଗରପାଲି ଗାଁରେ ରହୁଥିଲେ । ହୀରାକୁଦ ନଦୀବନ୍ଧ ଉଦଘାଟନ ପରେ ନିଜର ଭିଟାମାଟି ହରାଇ ଜଙ୍ଗଲ ଭିତରେ ପଡ଼ିରହିଛନ୍ତି ବିସ୍ଥାପିତ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ପାଇଁ ଦାବି ହୋଇଛି । ଗାଁରେ ସରକାରୀ ସୁବିଧା କହିଲେ କେବଳ ୨ଟି ନଳକୂପ । ସେ ପୁଣି ଖରାଦିନେ ଶୁଖିଯାଉଥିବାରୁ ପାଣି ପାଇଁ ସମସ୍ୟା ଭେଗୁଛନ୍ତି ଲୋକେ । ସମସ୍ତ ପରିବାର ବିପିଏଲ୍ ଅନ୍ତର୍ଭୁକ୍ତ । ବିପିଏଲ୍ ପରିବାରକୁ ବିଦ୍ୟୁତ୍ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ରସରକାର ଅନେକ ଯୋଜନା ରହିଛି । କିନ୍ତୁ ତେତିଲିଆବାହାଲ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି ବିଜୁଳି ଆଲୋକରୁ ବଞ୍ଚିତ ହୋଇଛନ୍ତି ।