କରୋନା ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅପିଲ୍ । ଟେଷ୍ଟିଂ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ, କହିଲେ ମହାମାରୀ ମୁକାବିଲାର ଦାୟିତ୍ୱ ଆମ ସମସ୍ତଙ୍କର ।

147

କନକ ବ୍ୟୁରୋ : କରୋନା କାଳରେ ଦେଶ ତଥା ରାଜ୍ୟ ଓଡ଼ିଶା ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । କରୋନାର ଦ୍ୱିତୀୟ ଲହର ପ୍ରଭାବରେ ସାଂଘାତିକ ସ୍ଥିତି ଉତ୍ପନ୍ନ ହୋଇଛି ।ତେବେ ଏହି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତ୍ରୀନାଥ ରେଡ୍ଡି ଏହି କଥାକୁ ପ୍ରାଥମିକତା ଦେଇଛନ୍ତି କିନ୍ତୁ ବିଶେଷ ଭାବରେ ଗ୍ରାମାଂଚଳରେ ଲୋକ ମାନଙ୍କ ମନରେ କରୋନା ପ୍ରତି ଭୟ ଓ ଭ୍ରାନ୍ତି ଧାରଣା ଥିବାରୁ ଲୋକମାନେ ଟେଷ୍ଟିଂ କରିବାକୁ ଆସୁନାହାନ୍ତି । ବ୍ୟବସ୍ଥା ସତ୍ୱେ ନାଗରିକମାନେ ଟେଷ୍ଟିଂ କରିବା ପାଇଁ ପଛଘୁଂଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ । ରାଜ୍ୟର ଗ୍ରାମାଞ୍ଚଳର ଜନଜାତି ବସତି ଅଞ୍ଚଳରେ ଟେଷ୍ଟିଂ ପାଇଁ କୁଣ୍ଠାବୋଧ କରୁଥିବାର ଦେଖିବାକୁ ମିଳୁଛି ।

ତେବେ ଏଭଳି ଏକ ବିପତ୍ତି ସମୟରେ ଟେଷ୍ଟିଂକୁ ଜନଆନ୍ଦୋଳନରେ ପରିଣତ କରିବା ରାଜ୍ୟରେ ସମସ୍ତଙ୍କ ଦାୟିତ୍ୱ । ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟ ଓଡ଼ିଶା ଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି ।

ଏହାବାଦ୍ ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି । ବିଶେଷ ଭାବରେ ସମ୍ବଲପୁର, ଅନୁଗୁଳ, ବରଗଡ, ସୁନ୍ଦରଗଡ଼ ଓ କଳହାଣ୍ଡି ଭଳି ରାଜ୍ୟର ୧୪ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ଜାତୀୟ ପଜିଟିଭ୍ ରେଟ୍ ଠାରୁ ଅଧିକ ରହିଛି । ଏସବୁକୁ ଦେଖିଲେ ଟେଷ୍ଟିଂକୁ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।