କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସ୍ଥିତ ସାଶୁନ ଜେନେରାଲ ହସ୍ପିଟାଲରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ଜଣାପଡିଛି । ଖବର ସରୋବରାହ ସଂସ୍ଥା ପିଟିଆଇକୁ ଏହି ସୂଚନା ଦେଇଛନ୍ତି ଏହି ସରକାରୀ ହସ୍ପିଟାଲର ଡାକ୍ତର ମୁରଲିଧର ତାମ୍ବେ । ସେ କହିଛନ୍ତି, ଆସନ୍ତା ସପ୍ତାହରେ ଶାସୁନ ହସ୍ପିଟାଲରେ  କୋଭିସିଲ୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ । ସୋମବାରରୁ ଏହା ଆରମ୍ଭ ହେବା ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
Advertisment
ଏହି ପରୀକ୍ଷଣ ପାଇଁ କେତେ ଜଣ ସ୍ୱେଚ୍ଛାସେବୀ ଚୟନ ହୋଇଥିବା ବେଳେ ପ୍ରାୟ ୧୫୦ରୁ ୨୦୦ ଜଣଙ୍କ ଦେହରେ ଏହି ଟିକା ପରୀକ୍ଷଣ କରାଯିବ ବୋଲି ଡାକ୍ତର ତାମ୍ବେ କହିଛନ୍ତି । ଆଜିଠାରୁ ଟିକା ନେବାକୁ ଆଗ୍ରହୀ ଥିବା ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇ ସାରିଛି । ପୂର୍ବରୁ ସହରର ଅନ୍ୟ ଦୁଇ ହସ୍ପିଟାଲରେ ଏହି କୋଭିସିଲ୍ଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ  ଆଷ୍ଟ୍ରା ଜେନିକା ଦ୍ୱାରା ଏହି କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି ଏବଂ ଭାରତରେ ଏହାର ପ୍ରସ୍ତୁତି ଓ ପରୀକ୍ଷଣ କରୁଛି ସେରମ ଇନଷ୍ଟିଚ୍ୟୁଟ୍ ।
ପୂର୍ବରୁ ଚଳିତ ମାସ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାର ପରୀକ୍ଷଣକୁ ସ୍ଥଗିତ ରଖିଥିଲା । କାରଣ ବ୍ରିଟେନର ଜଣେ ରୋଗୀଙ୍କ ଦେହରେ ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ଫଳରେ ଏହାର ପରୀକ୍ଷଣକୁ ସେଠାରେ ଆଷ୍ଟ୍ରା ଜେନିକା ସ୍ଥଗିତ ରଖିଥିଲା । ଅନ୍ୟପଟେ ଏନେଇ ସେରମ ଇନଷ୍ଟିଚ୍ୟୁଟକୁ ଡିସିଜିଆଇ ନୋଟିସ ଜାରି କରିଥିଲେ । ଫଳରେ ଏହାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିଥିଲା । ପରବର୍ତୀ ସମୟରେ ଗତ ୧୫ ତାରିଖରେ ଡିସିଜିଆଇ ଏହି ପରୀକ୍ଷଣ ଜାରି ରଖଥିବାକୁ ଅନୁମତି ଦେଇଥିଲେ । ଫଳରେ ଆସନ୍ତା ସୋମବାରରୁ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି।
ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆରୁ ଆସିଛି ପୁଣ ଏକ ଭଲ ଖବର । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ୍ ସରକାର । କରୋନାଭିର ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା । ହସ୍ପିଟାଲରେ ଭର୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତାରଙ୍କ ପରାମର୍ଶରେ ଖାଇପାରିବେ । ଔଷଧ ନିର୍ମାତା ଆର-ଫାର୍ମା କହିଛି ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି ।
ସେହିପରି ଆଉ ଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ । ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବା ପରେ ପୁଣି ଦୁଇଟି ଔଷଧ ବିକାଶ କରି କରୋନା ବିରୋଧୀ ଲଢେଇରେ ସାରାବିଶ୍ୱରେ ରୁଷିଆ ଆଗରେ ରହିଥିବା ପ୍ରମାଣ ଦେଇଛି । ରୁଷିଆ ଦ୍ୱାରା ପ୍ରସ୍ତୁତ ପ୍ରଥମ କରୋନା ଟିତା ‘ସ୍ପୁଟନିକ-ଭି’କୁ ଏବେ ବିଶ୍ୱର ଅନେକ ଦେଶ ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।