କରୋନା ସଂକ୍ରମଣ ରୋକିବାକୁ ଟ୍ରେସିଂ, ଟେଷ୍ଟିଂ ଓ ଟିକାକରଣକୁ ଗୁରୁତ୍ୱ । ରାଜ୍ୟରେ ବୃଦ୍ଧି ପାଇଲା ଟିକାକରଣ କେନ୍ଦ୍ର ।

ସେବାୟତ, ସାମ୍ବାଦିକ ଓ ସମ୍ମୁଖ ଧାଡି଼ରେ କାମ କରୁଥିବା ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

58

କନକ ବ୍ୟୁରୋ: ଦେଶରେ ବଦଳୁଥିବା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ନେଇଛି ଓଡ଼ିଶା । ପରିସ୍ଥିତି ବଦଳିବା ପୂର୍ବରୁ କରୋନା ପରୀକ୍ଷା ଓ ଟିକାକରଣକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତିଦିନ ପ୍ରାୟ ୨୫ ହଜାର ଟେଷ୍ଟ କରାଯାଉଥିବାବେଳେ ଏହାକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସଂକ୍ରମଣ ରୋକିବାକୁ ପଦକ୍ଷେପ
ଟିକାକରଣ କେନ୍ଦ୍ର ସଂଖ୍ୟାକୁ ୧୦୦୦କୁ ବୃଦ୍ଧି କରାଯାଇଛି ।
ଟ୍ରେସିଂ ଓ ଟେଷ୍ଟିଂ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି
ଜିଲ୍ଲାୱାରୀ କରୋନା ପରୀକ୍ଷାର ତଦାରଖ ପାଇଁ ୬ ଜଣ ବରିଷ୍ଠ ଡାକ୍ତର ନିୟୋଜିତ ହୋଇଥିବା ବେଳେ
ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ରହିବ ସ୍ୱତନ୍ତ୍ର ନଜର

ଗୁଜରାଟ, ବିଶେଷ କରି ସୁରଟର ସ୍ଥିତି ବଦଳୁଥିବା ବେଳେ ଗଂଜାମ ଉପରେ ରହିଛି ସମସ୍ତଙ୍କ ନଜର । ଗତବର୍ଷ ଗଂଜାମର ସ୍ଥିତି ସୁରଟ ଫେରନ୍ତାଙ୍କ ଯୋଗୁଁ ବିଗିଡି ଯାଇଥିଲା । ତେବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଗଂଜାମର ସ୍ଥିତି ନିୟନ୍ତ୍ରଣରେ ଅଛି । ପୂର୍ବଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । ପ୍ରବାସୀ ଫେରିବାର ସୂଚନା ନାହିଁ ଏବଂ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଛି । ସେପଟେ ଟିକାକରଣରେ ସମ୍ମୁଖ ଧାଡ଼ିରେ ରହି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

କେନ୍ଦ୍ରକୁ ଓଡ଼ିଶାର ପ୍ରସ୍ତାବ
ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ
ଇଲେକ୍ଟ୍ରି ଓ ପାଇପ୍ କାମ କରୁଥିବା କର୍ମଚାରୀ
ବିିମାନବନ୍ଦର, ରେଳବାଇ ଓ ପୋର୍ଟରେ କାମ କରୁଥିବା ବ୍ୟକ୍ତି
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ଟିକାକରଣ ରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ୪୫ ବର୍ଷରୁ ଉର୍ଦ୍ଦ୍ୱ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ପ୍ରସ୍ତାବ ରଖିଥିଲେ ୬ଟି ରାଜ୍ୟ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।