ଆତଙ୍କବାଦୀ ଆଗରେ ନରମ ପଡିଲା ପୋଲିସ : ଅପହୃତ ସଦସ୍ୟଙ୍କୁ ମୁକୁଳାଇବାକୁ ଡିଲ୍ । ଜମ୍ମୁ ଓ କାଶ୍ମୀରରେ ମୁକୁଳିଲେ ଅପହୃତ ପୁଲିସ୍ ପରିବାରର ସଦସ୍ୟ

34

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତହେଲେ ଅପହୃତ ପୁଲିସଙ୍କ ପରିବାର ଲୋକେ । ଗୁରୁବାର ରାତିରେ ଅପହରଣ କରି ନେଇଥିବା ୧୪ ଜଣଙ୍କୁ ଛାଡ଼ି ଦେଇଛି ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ । ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ପୁଲିସ୍ କର୍ମଚାରୀ, ଜଣେ ଏସପିଓ ଓ ପୁଲିସ୍ ପରିବାରର ୧୧ ଜଣ ସଦସ୍ୟ । ପୁଲିସ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବୁଝାମଣା ପରେ ଏହି ମୁକ୍ତି ହୋଇଥିବା କୁହାଯାଉଛି । ପୁଲିସ୍ କବଜାରେ ଥିବା ହିଜବୁଲ ମୁଜାହିଦ୍ଦିନର କେତେ ଜଣଙ୍କ ଛଡ଼ାଯିବା ବଦଳରେ ଏମାନେ ମୁକ୍ତ ହୋଇଥିବା ସୂଚନା ମିଳିଛି ।

ହିଜବୁଲ ମୁଜ୍ଜାହିଦ୍ଦିନ ମୁଖ୍ୟ ସୟଦ ସଲ୍ଲାଉଦ୍ଦିନର ପୁଅକୁ ଏନଆଇଏ ଗିରଫ କରାଯିବା ପରେ ଆତଙ୍କବାଦୀ ମାନେ ପୁଲିସ୍ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ନେଇଥିଲେ । ପୁଲିସ୍ ହିଜବୁଲର ଆତଙ୍କୀ କମାଣ୍ଡର ରିଆଜ୍ ନାଏକର ବାପା ଓ ଦୁଇ ଭାଇଙ୍କୁ ଗିରଫ କରିଥିଲା । ଏହାପରେ ପୁଲିସ୍ କର୍ମଚାରୀଙ୍କ ସଦସ୍ୟ ଅପହରଣ ଘଟଣା ସାମ୍ନାକୁ ଆସିଥିଲା । ଅପହୃତମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍ ଓ ସେନା ମିଳିତ ଭାବେ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ । ତେବେ ଦୁଇ ପକ୍ଷ ମଧ୍ୟରେ ଏକ ଅଘୋଷିତ ବୁଝାମଣା ପରେ ଏମାନଙ୍କୁ ମୁକ୍ତ କରାଯାଇଛି । ଏହାସହ ଆତଙ୍କୀ ଅପହରଣ କରିନେଇଥିବା ୧୪ ଜଣଙ୍କୁ ମୁକ୍ତ କରିଦେଇଛନ୍ତି ।