ଜାମ୍ମୁକାଶ୍ମୀରରେ ପୁଣି ମାତିଲେ ଆତଙ୍କବାଦୀ । ବୋର୍ଡ ପରୀକ୍ଷା ପୂର୍ବରୁ ସରକାରୀ ସ୍କୁଲରେ ଲଗାଇଲେ ନିଆଁ ।

182

କନକ ବ୍ୟୁରୋ : ଶୋପିଆଁ ଜିଲ୍ଲା ଅନ୍ତର୍ଗତ କୁମଦଲାନ୍‌ ଗାଁରେ ଥିବା ଗୋଟାଏ ସରକାରୀ ସ୍କୁଲ୍‌ ଘରେ ଶୁକ୍ରବାର ଦିନ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ । ଶନିବାର ଅର୍ଥାତ୍‌ ଆଜି ସେ ସ୍କୁଲ୍‌ରେ ବୋର୍ଡ ପରୀକ୍ଷା ହେବାକୁ ଥିଲା । ସ୍କୁଲ୍‌ ଘରେ ନିଆଁ ଲଗାଇବାକୁ ଆତଙ୍କବାଦୀମାନେ ପେଟ୍ରୋଲ୍‌ ବୋମା ଫିଙ୍ଗି ଥିଲେ ।

ଅକ୍ଟୋବର ୩୧ ତାରିଖ ଦିନ ଜମ୍ମୁକଶ୍ମୀର ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆତଙ୍କବାଦୀମାନେ ଏ ଭଳି କାଣ୍ଡ ଭିଆଇଛନ୍ତି । ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ଜମ୍ମୁକଶ୍ମୀରରେ କଟକଣା ଲାଗୁ କରାଯାଇଛି । ଗତ ଅଳ୍ପ କେତେ ସପ୍ତାହ ମଧ୍ୟରେ ଏହା ହେଉଛି କଶ୍ମୀରରେ ସ୍କୁଲ୍‌ରେ ନିଆଁ ଲଗାଯିବାର ଦ୍ୱିତୀୟ ଘଟଣା ।

କିଛି ଦିନ ତଳେ ପୁଲ୍‌ଓ୍ଵାମାସ୍ଥିତ ଗୋଟାଏ ସ୍କୁଲ୍‌ ବାହାରେ ଗୁଳି ବିନିମୟ ଘଟିଥିଲା । ସେଠାରେ ପିଲାମାନେ ବୋର୍ଡ ପରୀକ୍ଷା ଦେଉଥିଲେ । ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ସ୍କୁଲ୍‌ ଘରେ ପାଞ୍ଚ ଜଣ ପିଲା ରହିଯାଇଥିଲେ । କଶ୍ମୀର ଡିଭିଜନ୍‌ର ପ୍ରାୟ ୪୮୦୦୦ ଛାତ୍ରଛାତ୍ରୀ ବୁଧବାର ଦିନ ଦ୍ୱାଦଶ ଶ୍ରେଣୀର ଆନୁଆଲ୍‌ ରେଗୁଲାର୍‌ ଏକ୍ଜାମିନେସନ୍‌ ଦେଇଥିଲେ।