ଘାଟିରେ ୨୪ ଘଣ୍ଟା ମଧ୍ୟରେ ଅଣ-କଶ୍ମୀରୀଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ । ଗୁଳିମାଡରେ ବିହାରର ୨ ମୃତ, ଜଣେ ଗୁରୁତର

 ଦିନ ମଜୁରିଆ ଭାବେ କରୁଥିଲେ କାମ; ନୀତୀଶ କୁମାର କଲେ ଚିନ୍ତା ପ୍ରକଟ

147

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଣ କଶ୍ମୀରୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ରବିବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ହତ୍ୟାର ଶିକାର ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇଜଣ ବିହାରର । ସେହିଭଳି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏମାନେ ସମସ୍ତେ ବିହାରରୁ ଆସି ଦିନ ମଜୁରିଆ ଭାବରେ ଏଠାରେ କାମ କରୁଥିଲେ । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆତଙ୍କୀଙ୍କ ଗୁଳିରେ ଶ୍ରୀନଗରର ଦୁଇ ଜଣ ସାଧାରଣ ଲୋକ ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ । ଏମାନେ ମଧ୍ୟ ବିହାରର ଥିଲେ ।

ବାରମ୍ବାର ବିହାରର ନାଗିରକ ମାନେ ହତ୍ୟାର ଶିକାର ହୋଇଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚିନ୍ତା ପ୍ରକଟ କରିଛନ୍ତି । ସେହିପରି ପୁଲୱାମାରେ ଉତରପ୍ରଦେଶରୁ ଆସି କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ଜମ୍ମୁ କଶ୍ମୀରରୁ ଆତଙ୍କୀଙ୍କୁ ହଟାଇବା ପାଇଁ ସରକାର ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ଯାହାର ଜବାବ ଦେବାକୁ ଯାଇ ଆତଙ୍କବାଦୀ ରକ୍ତମୁଖା ହୋଇଥିବା କୁହାଯାଉଛି । ଅନ୍ୟପଟେ ଜମ୍ମୁ କଶ୍ମୀରରେ ଥିବା ସମସ୍ତ ଅଣ କଶ୍ମୀରୀ ଶ୍ରମିକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପୁଲିସ କ୍ୟାମ୍ପ କିମ୍ବା ସେନା କ୍ୟାମ୍ପକୁ ଆଣି ଏହି ଅଣ ଅଣକଶ୍ମୀରୀ ଶ୍ରମିକଙ୍କୁ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।