କନକ ବ୍ୟୁରୋ : କାଶ୍ମୀରରେ ଥମୁନି ଟାର୍ଗେଟ କିଲିଙ୍ଗ । ଆଉ ଏହାର ଶିକାର ହୋଇଛନ୍ତି ଆଉ ଜଣେ ବ୍ୟାଙ୍କ କର୍ମଚାରୀ । ଆଉ ଉକ୍ତ ବ୍ୟାଙ୍କ ମ୍ୟାନେଜର ଜଣକ ହିନ୍ଦୁ ବୋଲି ଜଣାପଡିଛି । ଗୁରୁବାର ଆତଙ୍କବାଦୀ ମାନେ କୁଲଗାମ ଅଞ୍ଚଳରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ମାନେ ବ୍ୟାଙ୍କରେ ପଶି ବିଜୟ କୁମାରଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ତେବେ ଏହି ହତ୍ୟାକାଣ୍ଡ ପରେ ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା ।
ମିଳିଥିବା ସୂଚନା ମୁତାବକ, ବିଜୟ କୁମାର କୁଲଗାମର ଦେହାତି ବ୍ୟାଙ୍କରେ କାମ କରୁଥିଲେ । ରାଜସ୍ଥାନର ହନୁମାନଗଡ ଅଞ୍ଚଳ ନିବାସୀ ବିଜୟ କୁମାର ଗତ କିଛି ବର୍ଷ ହେବ ଏଠାରେ କାର୍ଯ୍ୟ କରି ଆସୁଥିଲେ । ତେବେ ବିଜୟଙ୍କ ମୃତ୍ୟୁ ପ୍ରଥମ ନୁହେଁ ଏହାପୂର୍ବରୁ ମଧ୍ୟ ଘାଟି ଅଞ୍ଚଳରେ ଆତଙ୍କବାଦୀ ମାନେ ସରକାରୀ କର୍ମଚାରୀ ଓ ହିନ୍ଦୁ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଆସୁଛନ୍ତି । ପୂର୍ବରୁ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଓ ଗତ କିଛି ଦିନ ପୂର୍ବେ କୁଲଗାମର ମହିଳା ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆଉ ଏହି ହତ୍ୟାକାଣ୍ଡକୁ ନେଇ କାଶ୍ମୀରରେ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି ।