ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ ଓ ୪ ବାୟୁସେନା ଯବାନଙ୍କୁ ହତ୍ୟା ମାମଲା, ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ

419

କନକ ବ୍ୟୁରୋ : ଆଜି ଏନଆଇଏ କୋର୍ଟ ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ କୋର୍ଟ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ରେ ଆତଙ୍କବାଦୀ ୟାସୀନ ମଲ୍ଲିକ କାଶ୍ମୀରରେ ଆତଙ୍କବାଦ ଗତିବିଧି କୁ ପ୍ରୋତ୍ସାହିତ କରିବା ସହ ଅନ୍ୟ କିଛି ଗମ୍ଭୀର ଅପରାଧରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ୟାସୀନ ମଲ୍ଳିକ ଜମ୍ମୁ-କାଶ୍ମୀରରେ ଯୁବକଙ୍କମାନଙ୍କୁ ଆତଙ୍କବାଦ ପ୍ରତି ଆକୃଷ୍ଟ କରିବା, ଜଣେ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ସହ ଆତଙ୍କବାଦୀ ହାଫିଜ୍ ସଇଦ ସହ ସଂପର୍କ ରଖିବା ଭଳି ଗୁରୁତର ଅଭିଯୋଗ ରହିଥିଲା ।

ସେପଟେ ଏହାର ବିଚାର ଚାଲିଥିବା ବେଳେ ୟାସୀନ ମଲ୍ଲିକ କୋର୍ଟକୁ କହିଥିଲେ କି, ସେ ୟୁଏପିଏ ଧାରା ୧୬ (ଆତଙ୍କବାଦୀ ଗତିବିଧି), ୧୭ (ଆତଙ୍କବାଦୀ ଗତିବିଧି ପାଇଁ ଅର୍ଥ ଯୋଗାଡ କରିବା), ୧୮ (ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରିବା), ୨୦ (ଆତଙ୍କବାଦୀ ସଂଗଠନର ସଦସ୍ୟ ହେବା) ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦(ବି) (ଅପରାଧିକ ଷଡଯନ୍ତ୍ର), ୧୨୪ (ଏ) (ଦେଶଦ୍ରୋହ) ଅଭିଯୋଗ ଉପରେ ଚ୍ୟାଲେଞ୍ଜ କରିବେ ନାହିଁ ।

କହିରଖୁ କି ବିଚ୍ଛିନତାବାଦୀ ନେତା ୟାସୀନ ମଲ୍ଲିକ ଜମ୍ମୁ-କାଶ୍ମୀର ଲିବରସେନ ଫ୍ରଣ୍ଟ ସହିତ ଜଡିତ ଥିଲେ । ସେପଟେ ୨୦୧୯ ମସିହାରେ କେନ୍ଦ୍ର ସରକାର ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ୧୯୯୦ ମସିହାରେ ୟାସୀନ ମଲ୍ଲିକ ବାୟୁସେନାର ୪ ଜଣ ଯବାନଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ୟାସୀନଙ୍କ ସମେତ ତାଙ୍କର ୬ ଜଣ ସହଯୋଗୀ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ।

କେବଳ ସେତିକି ନୁହେଁ ତକ୍ରାଳୀନ ଗୃହମନ୍ତ୍ରୀ ମୁଫତି ମହମ୍ମଦଙ୍କ କନ୍ୟା ରୂବିୟା ସଇଦଙ୍କୁ ଅପହରଣ କରିବା ଭଳି ଅପରାଧରେ ସଂପୃକ୍ତ ଅଛନ୍ତି ୟାସୀନ ମଲ୍ଲିକ ।