ଆତଙ୍କୀ ଖୋଲିଲା ପାକର ପୋଲ୍: କହିଲା, ପ୍ରଶିକ୍ଷଣ ଦେଇଥିଲା ପାକିସ୍ତାନର ଆଇଏସଆଇ 

162

କନକ ବ୍ୟୁରୋ: ଭାରତରେ ଆତ୍ମଘାତି ଆକ୍ରମଣ କରିବା ପାଇଁ ଅନେକ ପ୍ରକାରର ଉଦ୍ୟମ କରୁଛି ପାକିସ୍ତାନ । ଯୁବକଙ୍କୁ ଟ୍ରେନିଙ୍ଗ ସହ ମୋଟା ଅଙ୍କର ଟଙ୍କା ଦେଉଛି ପାକିସ୍ତାନି ଆତଙ୍କି ସଂଗଠନ  । ଆଉ ଏହି ସବୁ ସତ ଉପରୁ ଏବେ ପରଦା ଉଠିଛି । ମଙ୍ଗଳବାର ସେନା ହାତରେ ଧରା ପଡିଥିବା ୧୯ ବର୍ଷିୟ ଆତଙ୍କୀ ଅଲି ବାବର ସବୁ ରହସ୍ୟର ଖୁଲାସା କରିଛି ।

ଜମ୍ମୁ-କାଶ୍ମୀରରେ ଆତଙ୍କ ଖେଳାଇବାକୁ ପାକିସ୍ତାନରୁ ଅନୁପ୍ରବେଶ କରିଥିବା ଲସ୍କର-ଇ-ତୋଇବାର ଆତଙ୍କୀ ସେନା ହାତରେ ଗିରଫ ହେବା ପରେ ନିଜ ସ୍ୱିକାରୋକ୍ତିରେ କିଛି ଏଭଳି ବୟାନ ଦେଇଛି । ମଙ୍ଗଳବାର ଜମ୍ମୁ କାଶ୍ମିର ଉରି ସେକ୍ଟରରୁ ଧରା ପଡିଥିବା ଆତଙ୍କବାଦି ଅଲ୍ଲି ବାବର ପାକିସ୍ତାନର ପୋଲ ଖୋଲିଦେଇଛି । ସେ ପାକିସ୍ତାନ ସେନା ଠାରୁ ଟ୍ରେନିଙ୍ଗ ନେଇ ଭାରତକୁ ପ୍ରବେଶ କରିଥିବା ସ୍ୱିକାର କରିଛି । ମଙ୍ଗଳବାର ଗିରଫ ହେବା ପରେ ୧୯ ବର୍ଷୀୟ ଆତଙ୍କୀ ଅଲ୍ଲି ବାବରକୁ ବୁଧବାର ଗଣମାଧ୍ୟମ ସମ୍ମୁଖରେ ଅଣାଯାଇଥିଲା । ଯେଉଁଠି ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖିଥିଲା ଆତଙ୍କୀ ।

ଗଣମାଧ୍ୟମ ସାମ୍ନାରେ ଅଲ୍ଲୀ ଗୋଟି ଗୋଟି କରି ସବୁ ସତ ଓଗାଳି ଥିଲା । ପାକିସ୍ତାନରେ କିଭଳି ଛୋଟ ଛୋଟ ପିଲାଙ୍କୁ ଆତଙ୍କବାଦୀ ହେବା ପାଇଁ ତାଲିମ୍ ଦିଆଯାଏ ସେହି ତଥ୍ୟ ବୟାନ କରିଥିଲା ଅଲ୍ଲୀ ବାବର ।

–  ଭାରତକୁ ଅସ୍ତ୍ରଶସ୍ତ୍ର ସପ୍ଲାଇ କରିବା ଉଦ୍ଦେଶ୍ୟରେ ଆସିଥିଲା ଆତଙ୍କୀ ଅଲ୍ଲୀ ବାବର

–  ଗତ ୧୦ଦିନ ଧରି ଉରି ସୀମାରେ ଥିବା ଏକ ସୁଡଙ୍ଗରେ  ଲୁଚି ରହିଥିଲା

–  ପାକିସ୍ତାନର ହବିତୁଲ୍ଲାହ ଆତଙ୍କୀ ସଙ୍ଗଠନରୁ ତାଲିମ୍ ପାଇଛି ଅଲ୍ଲୀ

– ଜମ୍ମୁ-କାଶ୍ମୀର ବାରମୂଳାରେ ଅସ୍ତ୍ରଶସ୍ତ୍ର ପହଁଚାଇବା ପାଇଁ ତାକୁ ୩୦ ହଜାର ଟଙ୍କା ଆଗୁଆ ମିଳିଛି

– ବାକି ୨୦ ହଜାର କାମ ସାରି ପାକିସ୍ତାନ ଫେରିବା ପରେ ମିଳିଥାନ୍ତା 

ଭାରତରେ ଅନୁପ୍ରବେଶ କରିବା ପାଇଁ ଉରି ସୀମାରେ ଥିବା ସୁଡଙ୍ଗରେ ୧୦ ଦିନ ଧରି ଲୁଚି ରହିଥିଲା ଅଲ୍ଲୀ ବାବର ଓ ତାର ସାଥି । ସେଠାରେ ଆତଙ୍କୀ ଲୁଚି ରହିଥିବା କୌଣସି ସୁତ୍ରରୁ ଖବର ପାଇ  ସେନା ତରଫରୁ ଆରମ୍ଭ ହୋଇଥିଲା ଅପରେସନ୍ । ଫଳରେ ଏନକାଉଁଟରବେଳେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅଲ୍ଲୀ ବାବର ଗିରଫ ହୋଇଥିଲା । ତେବେ ଅନ୍ୟ ୬ ଆତଙ୍କୀ ଖସି ପଳାଇବାରେ ସଫଳ ହୋଇଥିଲେ ।