ଆତଙ୍କବାଦୀ ଲିଙ୍କ୍‌ ନା ଦେଶଦ୍ରୋହୀ କାରବାର ! ଛାତ୍ରଙ୍କୁ ୫ ଘଣ୍ଟା ଜେରା; ରାଜଧାନୀ‌ରେ ଏନ୍‌ଆଇଏର ତନାଘନା

245

କନକ ବ୍ୟୁରୋ : ଭୁବନେଶ୍ୱରରେ ଏନ୍ଆଇଏ ଟିମ୍‌ ଖଣ୍ଡଗିରି ଅଞ୍ଚଳର ଜଣେ ଛାତ୍ରକୁ କରିଛି । ଏନ୍‌ଆଇଏ କୋଲକାତା ଶାଖାର ୪ ଜଣିଆ ଟିମ୍‌ ଛାତ୍ରଙ୍କୁ ଉଠାଇ ଆଣି ଖଣ୍ଡଗିରି ଥାନାରେ ଦୀର୍ଘ ପ୍ରାୟ ସାଢ଼େ ୫ ଘଣ୍ଟା ଧରି ଜେରା କରିଛି । ସାଢ଼େ ୯ଟାରୁ ୨ଟା ଯାଏଁ ଜେରା କରିବା ପରେ ତାଙ୍କୁ ଏନ୍‌ଆଇଏ ଟିମ୍‌ ଛାଡ଼ି ଦେଇଛି । କିନ୍ତୁ ସମ୍ପୃକ୍ତ ଯୁବକଙ୍କ ଉପରେ କଡ଼ା ନଜର ରଖିବା ପାଇଁ କମିସନରେଟ୍‌ ପୁଲିସକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଜେରାବେଳେ କୌଣସି ପୁଲିସ ଅଧିକାରୀଙ୍କୁ ସେଠାରେ ରହିବାକୁ ଦିଆଯାଇନାହିଁ । ଫଳରେ ଜେରା ପଛର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ଏନ୍‌ଆଇଏ ଭଳି ଜାତୀୟସ୍ତରର ଅନୁସନ୍ଧାନକାରୀ ସଂସ୍ଥା ଭୁବନେଶ୍ବରରେ ଆସି ସାଢ଼େ ୫ ଘଣ୍ଟା ଧରି ଜେରା‌ କରିବା ପଛରେ ବଡ଼ଧରଣର କାରଣ ନିଶ୍ଚୟ ରହିଛି ବୋଲି ସ୍ପଷ୍ଟ ହୋଇଛି । ବିଶେଷକରି ଜାତୀୟ ସୁରକ୍ଷାକୁ ନେଇ କିଛି ବଳିଷ୍ଠ କାରଣ ଥିବା ନିଶ୍ଚିତ ବୋଲି କୁହାଯାଉଛି । ଛାତ୍ରଙ୍କର ଆତଙ୍କବାଦୀ ସମ୍ପୃ୍କ୍ତି ନେଇ ବି ଚର୍ଚ୍ଚା ହେଉଛି । ମାତ୍ର କମିସନରେଟ୍‌ ପୁଲିସ ଜେରା ବାବଦରେ କିଛି ଜାଣିନଥିଲେ ମଧ୍ୟ ତାଙ୍କର ଆତଙ୍କୀ ଲିଙ୍କ୍‌ ନାହିଁ ବୋଲି କହିଛି । ଯଦି ଛାତ୍ର ଜଣକର ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ମାମଲାରେ ସମ୍ପୃକ୍ତି ନ ଥାନ୍ତା, ତେବେ ଏନ୍‌ଆଇଏ ଭଳି ସଂସ୍ଥା ଓଡ଼ିଶା ଆସି କାହିଁକି ଜେରା କରୁଥିଲା ବୋଲି ପ୍ରଶ୍ନ ଉଠିଛି । ତେବେ ଏ ନେଇ କୌଣସି ପୁଲିସ ଅଧିକାରୀ ମୁହଁ ଖୋଲି ନାହାନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତ୍ର ଜଣକ ବରମୁଣ୍ଡା ଅଞ୍ଚଳର। ସ୍ଥାନୀୟ ଏକ କଲେଜରେ ସେ ଇଞ୍ଜିନିୟରିଂ ସହ ‘ଗେଟ୍‌’ ପାଇଁ ପ୍ରସ୍ତୁତ ହେଉଛନ୍ତି । ସମ୍ପୃକ୍ତ ଛାଜଣକ ‘ଡାର୍କ ୱେବ୍‌’ ନାମକ ଏକ ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରିଥିଲେ । ଏହି ୱେବ୍‌ସାଇଟ୍‌ରେ ଦାମୀ ବନ୍ଧୁକ ସହ ଲଞ୍ଚର ଓ ଅନ୍ୟାନ୍ୟ ମାରଣାସ୍ତ୍ର ମିଳିଥାଏ। ସମ୍ପୃକ୍ତ ଛାତ୍ର ବନ୍ଧୁକ ମଧ୍ୟ ଅର୍ଡର କରିଥିଲେ । କିନ୍ତୁ କିଛିଦିନ ପରେ ଅର୍ଡର ବାତିଲ କରିଥିଲେ । ଏହି ୱେବ୍‌ସାଇଟ୍‌ ଜରିଆରେ କେତେକ ବିଦେଶୀ ସଂସ୍ଥାଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଥିଲେ । ଉକ୍ତ ସଂସ୍ଥାସମୂହ ଭାରତକୁ ବିରୋଧ କରନ୍ତି, ଭାରତ ବିରୋଧରେ ଷଡ୍‌ଯନ୍ତ୍ର କରନ୍ତି ଓ ମାରଣାସ୍ତ୍ର କାରବାର ମଧ୍ୟ କରନ୍ତି ।

ଛାତ୍ରଜଣକ ବିଭିନ୍ନ ସମୟରେ ଦେଶଦ୍ରୋହୀ ମନ୍ତବ୍ୟ ଦେବା ସହ ଭାରତ ବିରୋଧରେ ଉକ୍ତ ସଂସ୍ଥାମାନଙ୍କ ମନ୍ତବ୍ୟରେ ସହମତ ଥିବା କମେଣ୍ଟ କରିଥିବା ଜଣାପଡ଼ିଛି । ଏହି ୱେବ୍‌ସାଇଟ୍‌ ଉପରେ ଏନ୍‌ଆଇଏ ବର୍ଷ ବର୍ଷ ଧରି ନଜର ରଖିଥିଲା । ଦୀର୍ଘ ୨ ମାସ ଧରି ସମ୍ପୃକ୍ତ ଛାତ୍ର ଏହି ୱେବ୍‌ସାଇଟ୍‌ରେ ଏଭଳି କାରବାର କରୁଥିବା ଏନ୍‌ଆଇଏ ଜାଣିବାକୁ ପାଇଥିଲା । ଆଜି ଏନ୍‌ଆଇଏର ଏକ ଟିମ୍‌ ଆସି ତାକୁ ଘରୁ ଉଠାଇ ଆଣିଥିଲା। କିନ୍ତୁ ଜେରାବେଳେ ସେ ନିରୀହ ବୋଲି ଏନ୍‌ଆଇଏ ଜାଣିବାକୁ ପାଇଥିଲା । ଏଣୁ ଏନ୍‌ଆଇଏ ଛାତ୍ରଜଣକର କଥାକୁ ବିଶ୍ବାସକୁ ନେଇ ତାକୁ ଛାଡ଼ି ଦେଇଥିଲା ।

୨୦୧୫ ମସିହାରେ ପୁରୀ ରେଳପୋଡ଼ି ମାମଲାରେ ଜିଆରପି ପୁଲିସ୍‌ ରାମଚନ୍ଦ୍ରନ ସୁବାସ ନାମକ ଜଣେ ଯୁବକକୁ ଗିରଫ କରିଥିଲା । ଟ୍ରେନ୍‌ ପୋଡ଼ି ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଆଶଙ୍କା କରି ଏନ୍‌ଆଇଏ ସମ୍ପୃକ୍ତ ମାମଲାକୁ ହାତକୁ ନେଇଥିଲା । ଦୀର୍ଘଦିନ ତନାଘନା କରିବା ସହ ସମ୍ପୃକ୍ତ ଯୁବକକୁ ଜେରା କରିଥିଲା । ହେଲେ ଶେଷର ସେଭଳି କିଛି ସୂତ୍ର ନ ପାଇବାରୁ ଏନ୍‌ଆଇଏ ମାମଲାକୁ ଜିଆରପିକୁ ହସ୍ତାନ୍ତର କରିଥିଲା । ତେବେ ଏହି ମାମଲାର ଭବିଷ୍ୟତ କ’ଣ ହେବ, ଏ ନେଇ ଏବେଠାରୁ କିଛି ଆକଳନ କରିବା ଠିକ୍‌ ନୁହେଁ ବୋଲି ସୂଚନା ମିଳିଛି ।