କନକ ବ୍ୟୁରୋ : ପାକିସ୍ତାନର ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଅପହରଣ କଲେ ଆତଙ୍କବାଦୀ । ରାସ୍ତାରୁ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଉଠାଇ ନେବା ସହ ଜେଲରେ ବନ୍ଦ ଥିବା ସାଥୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ କହିଛନ୍ତି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନଙ୍ଗା ପର୍ବତାଞ୍ଚଳରେ ବିଦେଶୀଙ୍କୁ ହତ୍ୟା କରିଥିବା ଓ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଛାଡିବାକୁ ସର୍ତ୍ତ ରଖିଛନ୍ତି । ଆଉ ପ୍ରତିବଦଳରେ ଅପହରଣ ହୋଇଥିବା ମନ୍ତ୍ରୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଛଡାଯିବ ବୋଲି ଆତଙ୍କବାଦୀ କହିଛନ୍ତି ।

Advertisment

ଅପହରଣ ପରେ ଆତଙ୍କବାଦୀଙ୍କ ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି, ଯେଉଁଥିରେ ଅପହୃତ ହୋଇଥିବା ମନ୍ତ୍ରୀ କହୁଛନ୍ତି,ଇସଲାମାବାଦରୁ ଗିଲଗିଟ ଆସୁଥିବା ବେଳେ  ତାଙ୍କୁ ଅପହରଣ କରାଯାଇଛି । ଆତଙ୍କବାଦୀ ନିଜ ସହଯୋଗୀଙ୍କୁ ଜେଲରୁ ମୁକ୍ତ କରିବାକୁ ରାସ୍ତା ମଝିରେ ଏଭଳି ଅପହରଣ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛନ୍ତି । ଏହାଛଡା ଆତଙ୍କବାଦୀ ମାନେ ମହିଳାଙ୍କ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏହାଛଡା ସ୍ଥାନୀୟ ଅଞ୍ଚଳରେ ଇସଲାମ ଆଇନ ଲାଗୁ କରିବାକୁ ଦାବି ଉଠାଇଛନ୍ତି । ତେବେ ଆତଙ୍କବାଦୀଙ୍କ ଏଭଳି ଦାବିକୁ ସରକାର ଗ୍ରହଣ କରିଛନ୍ତି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଟିଟିପି ସହ ଆଲୋଚନା ବିଫଳ ହେବା ପରେ ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ପୂର୍ବରୁ ପାକିସ୍ତାନ ସରକାର ସତର୍କ କରିଥିଲେ ।