ଫେଲ୍ ମାରିଲା ସୈତାନ ପାକିସ୍ତାନର ଷଡଯନ୍ତ୍ର । ଗୁପ୍ତ ସୁଡଙ୍ଗ ଦେଇ ଭାରତକୁ ପଠାଇଥିଲା ଆତଙ୍କବାଦୀ, ଗୋଡାଇ ଗୋଡାଇ ମାରିଲା ଭାରତୀୟ ସେନା ।

547

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ଆକ୍ରମଣ ଷଡଯନ୍ତ୍ର କରିଥିଲା ପାକିସ୍ତାନ । ଏଥିପାଇଁ ଗୁପ୍ତ ସୁଡଙ୍ଗ ଦେଇ ପଠାଇଥିଲା ଆତଙ୍କବାଦୀ । ସଇତାନ ପାକିସ୍ତାନର ନଗରୋଟା ଯୋଜନା ଫେଲ୍ ମାରିଯାଇଛି । ଆଉ ଭାରତ ହାତରେ ଲାଗିଛି ପାକିସ୍ତାନ ସଂପୃକ୍ତିର ବଡ ପ୍ରମାଣ । ମୋବାଇଲ ଟେକ୍ସଟ ମେସେଜରୁ ସ୍ପଷ୍ଟ ହୋଇଛି, ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନରୁ ଆସୁଥିଲା ନିର୍ଦ୍ଦେଶ । ଅସ୍ତ୍ରଶସ୍ତ୍ର, ମୋବାଇଲ ଫୋନ୍, ସିମ୍ କାର୍ଡଠାରୁ ଆରମ୍ଭ କରି ପୋଷାକ ଓ ଯୋତା ସବୁକିଛି ଥିଲା ମେଡ ଇନ୍ ପାକିସ୍ତାନ ।

ନଗରୋଟା ଆତଙ୍କୀଙ୍କୁ ପାକିସ୍ତାନରୁ ଆସୁଥିଲା ନିର୍ଦ୍ଦେଶ । ପାକିସ୍ତାନୀ ହ୍ୟାଣ୍ଡଲର ସହ ସଂପର୍କରେ ଥିଲେ ଆତଙ୍କୀ । ଜାମ୍ମୁ-କାଶ୍ମୀରର ନଗରୋଟାରେ ୪ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବା ଆଗରୁ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହେଲେ ପାକିସ୍ତାନୀ ଆତଙ୍କବାଦୀ । ଆତଙ୍କବାଦୀ ସବାର ହୋଇ ଆସୁଥିବା ଟ୍ରକକୁ ଏକ ଟୋଲପ୍ଲାଜା ନିକଟରେ ଘେରି ଅନ୍ଧାଧୁନ ଗୁଳି କରିଥିଲେ ଭାରତୀୟ ଯବାନ ଓ ଜାମ୍ମୁ-କାଶ୍ମୀର ପୋଲିସ । ଫଳରେ ବଡଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଗଲା ସତ । ହେଲେ ଏହି ଆତଙ୍କୀ ଷଡଯନ୍ତ୍ରରେ ପାକିସ୍ତାନ ସଂପୃକ୍ତିର ବଡ ପ୍ରମାଣ ଭାରତୀୟ ସୁରକ୍ଷା ଏଜେନ୍ସି ହାତରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ଯାଞ୍ଚ ଏଜେନ୍ସି ହାତରେ କିଛି ମୋବାଇଲ ଟେକ୍ସଟ ମେସେଜ ଲାଗିଛି । ମେସେଜ୍ କିଛି ଏହିଭଳି ରହିଥିଲା..

ପାକିସ୍ତାନୀ ହ୍ୟାଣ୍ଡଲର :
କେଉଁଠି ପହଂଚିଲ ?
ହାଲଚାଲ କ’ଣ ?
କୌଣସି ଅସୁବିଧା ହୋଇନାହିଁ ତ ?
ଆତଙ୍କବାଦୀ :
ପ୍ରାୟ ୨ଟା ବେଳେ ପହଂଚିଲୁ

ନଗରୋଟା ଟୋଲପ୍ଲାଜାରେ ପାକିସ୍ତାନୀ ଆତଙ୍କବାଦୀ ଟଲି ପଡିବା ପରେ ଆତଙ୍କବାଦୀମାନେ ଆସିଥିବା ଟ୍ରକରୁ ଯେଉଁ ମୋବାଇଲ ଫୋନ ମିଳିଛି, ସେଥିରୁ କେତେକ ଟେକ୍ସଟ ମେସେଜକୁ ରି-ଟ୍ରାଇଭ କରିବା ପରେ ଏହି ସୂଚନା ପଦାକୁ ଆସିଛି । ପାକିସ୍ତାନରେ ଥିବା ଜେଇଏମର ହ୍ୟଣ୍ଡଲରଙ୍କଠାରୁ ନିର୍ଦ୍ଦେଶ ପାଇ ଏମାନେ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିଲେ ।

ମୃତ ଆତଙ୍କବାଦୀଙ୍କ ନିକଟରୁ ମିଲିଥିବା ଅସ୍ତ୍ରଶସ୍ତ୍ର, ମୋବାଇଲ୍ ଫୋନ୍, ଡିଜିଟାଲ ମୋବାଇଲ ରେଡିଓ, ପୋଷାକ, ଯୋତା ସମେତ ଅନ୍ୟାନ୍ୟ ସାମଗ୍ରୀରୁ ପାକିସ୍ତାନ ସଂପୃକ୍ତିର ବଡ ପ୍ରମାଣ ମିଳିଛି ।

ପାକିସ୍ତାନ ସଂପୃକ୍ତିର ବଡ଼ ପ୍ରମାଣ
– ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ପାକିସ୍ତାନ ନିର୍ମିତ ଅସ୍ତ୍ରଶସ୍ତ୍ର ମିଳିଛି
– ମେଡ ଇନ୍ ପାକିସ୍ତାନ ଡିଜିଟାଲ ମୋବାଇଲ ରେଡିଓ ଉଦ୍ଧାର କରାଯାଇଛି
– ମିଳିଥିବା ମୋବାଇଲ ହ୍ୟାଣ୍ଡସେଟର ମଡେଲ ନଂ ରହିଛି- ଏମପିଡି ୨୫୦୫
– ପାକିସ୍ତାନ ନିର୍ମିତ ଜିପିଏସ ଉପକରଣ, ସିମ୍ କାର୍ଡ ଓ ୱେୟାରଲେସ ସେଟ୍
– ପାକିସ୍ତାନରେ ପ୍ରସ୍ତୁତ ଜୋତା ଓ ଆତଙ୍କବାଦୀଙ୍କ ପୋଷାକ ଉଦ୍ଧାର ହୋଇଛି

ଭାରତ-ପାକିସ୍ତାନ ସୀମା ପାର ହେବା ପରେ ଏମାନେ କେମିତି ଜାମ୍ମୁ-ପଠାନକୋଟ ହାଇୱେରେ ପହଞ୍ଚିଲେ, ତାହା ହିଁ ଏବେ ଯାଂଚ୍ ଏଜେନ୍ସିର କେନ୍ଦ୍ରରେ ରହିଛି । ମିଳିଥିବା ସୂଚନା ଅନୁସାରେ ସେହି ଗାଇଡକୁ ଖୋଜିବା ପାଇଁ ଜୋରଦାର ଖାନତଲାସୀ ଚାଲିଛି । ଯିଏ ଏହି ଆତଙ୍କବାଦୀଙ୍କୁ ନଗରୋଟା ଯାଏଁ ଆସିବା ପାଇଁ ଟ୍ରକର ବନ୍ଦୋବସ୍ତ କରିଥିଲା ।