କାଶ୍ମୀରର ନାଗରୋଟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ବିଫଳ : ଆଇଜି କହିଲେ, ଦିଲ୍ଲୀ ଲିଙ୍କ ନେଇ ହେଉଛି ତଦନ୍ତ

ଟ୍ରକରେ ଆସିଥିଲେ ଆତଙ୍କବାଦୀ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଟଳିଲେ ୪ ପାକିସ୍ତାନ ଆତଙ୍କବାଦୀ

119

କନକ ବ୍ୟୁରୋ : ନାଗରୋଟା ଏନକାଉଁଟର ଜମ୍ମୁକାଶ୍ମୀର ପୋଲିସ ଆଇଜିଙ୍କ ବଡ ସୂଚନା । ଫେଲ୍ ମାରିଲା ଆଉ ଏକ ବଡ ଧରଣର ଆତଙ୍କୀ ଚାଲ୍ । ଘଟଣାକୁ ନେଇ ଜମ୍ମୁକାଶ୍ମୀର ପୋଲିସ ଆଇଜି କହିଛନ୍ତି, ଆତଙ୍କବାଦୀ କୌଣସି ବଡ ଧରଣର କାଣ୍ଡ ଘଟାଇବାକୁ ଯାଉଥିଲେ । ଯାହାକୁ ଆଗୁଆ ବିଫଳ କରିଦେଇଛି ସେନା । ଆଜି ବଡି ଭୋରରେ ଜମ୍ମୁକାଶ୍ମୀରର ନାଗ୍ରୋଟାରେ ବନ୍ ଟୋଲ ପ୍ଲାଜା ନିକଟରେ ଟ୍ରାଫିକ୍ ଚେକିଂ ବେଳେ ଆତଙ୍କୀ ଆସୁଥିବା ଏକ ଟ୍ରକକୁ ଅଟକାଇଥିଲା ସେନା । ଯବାନଙ୍କୁ ଦେଖି ଟ୍ରକ୍ ଅଟକାଇବା ପରେ ଗାଡିରୁ ଫେରାର ହୋଇଯାଇଥିଲା ଡ୍ରାଇଭର ।

ସେପଟେ ସେନା ଉପରକୁ ଆଖିବୁଜା ଗୁଳିମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲେ ଆତଙ୍କୀ । ଆଖି ପିଛୁଳାକେ ଭାରତୀୟ ସେନା ଦେଇଥିଲା କଡା ଜବାବ । ସେନାର ପାଲଟା ଗୁଳିରେ ଶେଷ ଖବର ସୁଦ୍ଧା ୪ ଜଣ ଜୈସ୍ ଆତଙ୍କୀ ନିପାତ ହୋଇଛନ୍ତି । କିଛି ଆତଙ୍କୀ ନିକଟ ଜଙ୍ଗଲରେ ଛପିଥିବା ସନ୍ଦେହରେ ୩ ଘଂଟାରୁ ଅଧିକ ସମୟ ଧରି ସର୍ଚ ଅପରେସନ୍ ଚାଲିଥିଲା । ଶେଷରେ ଆତଙ୍କୀଙ୍କୁ ନିପାତ କରିଛି ସେନା । ଜମ୍ମୁକାଶ୍ମୀର ପୋଲିସ ଓ ସିଆରପିଏଫ୍ ମିଳିତ ଭାବେ ଏହି ଅପରେସନ୍ ଚଳାଇଥିଲା ।

ଜମ୍ମୁକାଶ୍ମୀର ଶ୍ରୀନଗର ଜାତୀୟ ରାଜପଥକୁ ନାକାବନ୍ଦୀ କରି ଏହି ଅପରେସନ୍ ଚାଲିଥିଲା । ସେନା ସନ୍ଦେହ କରୁଛି ଏହି ସମସ୍ତ ଆତଙ୍କବାଦୀ ପାକିସ୍ତାନରୁ ଅନୁପ୍ରବେଶ କରିଥାଇପାରନ୍ତି । ଏନେଇ ଅଧିକ ଅନୁଧ୍ୟାନ କରାଯିବା ପରେ କିଛି ସ୍ପଷ୍ଟ କରି ହେବ ବୋଲି ଜମ୍ମୁକାଶ୍ମୀର ପୋଲିସ କହିଛି । କିଛି ଦିନ ତଳେ ଦିଲ୍ଲୀରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସହିତ ଏମାନଙ୍କର କୌଣସି ସମ୍ପର୍କ ରହିଛି କି ନାହିଁ ସେ ନେଇ ଖୋଳତାଡ ଜାରି ରହିଛି ବୋଲି କହିଛନ୍ତି ଜମ୍ମୁକାଶ୍ମୀର ପୋଲିସ ଆଇଜି ମୁକେଶ ସିଂ ।

ଟ୍ରକରେ ନାଗ୍ରୋଟା ଅଂଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଆତଙ୍କବାଦୀ । ବନ୍ ଟୋଲ ପ୍ଲାଜା ଅତିକ୍ରମ କରିବା ଆଗରୁ ସବୁ ଯୋଜନା ଫସର ଫାଟିଛି । କୌଣସି ଅଘଟଣ ଘଟିବା ଆଗରୁ ଆତଙ୍କବାଦୀ ଆସୁଥିବା ଟ୍ରକକୁ ଅଟକାଇ ନିପାତ କରିଛି ଆତଙ୍କବାଦୀଙ୍କୁ । ଉଭୟ ପଟୁ ଜୋରଦାର ଗୁଳି ମାଡ ପରେ ପରେ , ଘଟଣା ସ୍ଥଳରେ ଟଳିଥିଲେ ୨ ଆତଙ୍କୀ । ଅପରେସନରେ ଟଳିଛନ୍ତି ଆଉ ୨ ଆତଙ୍କୀ । ଏହା ପରେ ଟ୍ରକ୍ ସହିତ ଆତଙ୍କବାଦୀଙ୍କ ଶବ ଜବତ କରିଛି ସେନା । ଏହି ଟ୍ରକ ଓ ମୃତ ଆତଙ୍କବାଦୀଙ୍କ ଠାରୁ ୧୧ଟି ଏକେ ଫର୍ଟି ସେଭେନ୍ ରାଇଫଲ୍ , ୩ଟି ପିସ୍ତଲ, ୨୯ଟି ହ୍ୟାଣ୍ଡ ଗ୍ରେନେଡ୍, ୬ଟି ୟୁଜିବିଏଲ୍ ଗ୍ରେନେଡ ଜବତ ହୋଇଛି ।

ସେହିପରି ମୃତ ଆତଙ୍କୀଙ୍କ ନିକଟରୁ ମୋବାଇଲ୍ ଫୋନ୍, ବନ୍ଧୁକ ସହିତ ବିପୁଳ ଅସ୍ତ୍ରଶସ୍ତ୍ର ବି ଜବତ ହୋଇଛି । ଆତଙ୍କୀ ସାଥୀରେ ବ୍ୟାଗରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ନେଉଥିଲେ । ଆଗକୁ ଜାମ୍ମୁକାଶ୍ମୀରରେ ଡିଡିସି ନିର୍ବାଚନ ରହିଥିବା ବେଳେ ଏହା ଆଗରୁ ଆତଙ୍କବାଦୀଙ୍କ ଏହି କାଣ୍ଡ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ବର୍ତମାନ ଶୀତ ସମୟରେ ଆତଙ୍କବାଦୀ ଅନୁପ୍ରବେଶର ସମସ୍ତ ଲାଇଫ୍ ଲାଇନ୍ ସେନା ବନ୍ଦ କରି ଦେଇଥିବାରୁ ସଡକ ପଥରେ ଏଭଳି ଲୁଚି ଛପି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ସେନା ସନ୍ଦେହ କରୁଛି ।