ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ । ଫୁଟବଲ୍ ପଡିଆରେ ପଶି ୫୦ ରୁ ଅଧିକ ଲୋକଙ୍କ କାଟିଲେ ମୁଣ୍ଡ

226

କନକ ବ୍ୟୁରୋ : ସାରା ବିଶ୍ୱ ଦିନକୁ ଦିନ ଆତଙ୍କବାଦର କରାଳ ଭିତରେ କରାୟତ ହେବାକୁ ଯାଉଛି । ଫ୍ରାନ୍ସ ପରେ ଏବେ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ଭୟାବହ କାଣ୍ଡ । ଏକ ଫୁଟବଲ୍ ପଡିଆରେ ଖେଳ ଚାଲିଥିବା ବେଳେ ଆତଙ୍କବାଦୀ ମାନେ ସେଠାରେ ପଶି ୫୦ ରୁ ଅଧିକ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ଆତଙ୍କବାଦୀ ମାନେ ଲୋକମାନଙ୍କର ତଣ୍ଟିକୁ ଖଣ୍ଡ ଖଣ୍ଡ କରି କାଟିଛନ୍ତି । ବର୍ବରତା ସହ କରାଯାଇଥିବା ଏହି ହତ୍ୟାରେ ୧୫ ଜଣ ଛୋଟ ପିଲାଙ୍କ ଜୀବନ ଯାଇଛି ।
ସୂଚନା ମୁତାବକ ସେମାନେ ହତ୍ୟା କରିସାରିବା ପରେ ମୃତଦେହ ଗୁଡିକୁ ଗାଁ ମୁଣ୍ଡ ଜଙ୍ଗଲ ଓ କିଛି ମୃତଦେହ ଫୁଟବଲ୍ ପଡିଆ ନିକଟରେ ପକାଇ ଦେଇଛନ୍ତି । ମୋଜାମ୍ବିକର ସରକାରୀ ଗଣମାଧ୍ୟମର ସୂଚନା ମୁତାବକ ଆତଙ୍କବାଦୀ ମାନେ ଅନେକ ଗ୍ରାମ ଉପରେ ଆକ୍ରମଣ କରିଥିଲେ । ଏହାପରେ ସେଠାରୁ ଧରାଯାଇଥିବା ଲୋକଙ୍କୁ ଏକ ଫୁଟବଲ ପଡିଆକୁ ଆଣିଥିଲେ । ସେଠାରେ ଆତଙ୍କବାଦୀ ମାନେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଆତଙ୍କବାଦୀ ମାନେ ମହିଳା ଓ ଶିଶୁ ମାନଙ୍କୁ ମଧ୍ୟ ଅପହରଣ କରିଥିଲେ । ହତ୍ୟା ପରେ ଆତଙ୍କବାଦୀ ମାନେ ଆଲ୍ଲାଙ୍କ ନାମରେ ସ୍ଲୋଗାନ ଦେଇ କିଛି ଲୋକଙ୍କ ଘର ବି ଜାଳି ଦେଇଛନ୍ତି । ସୂଚନାଯୋଗ୍ୟ, କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ୨୦୧୭ ପରଠାରୁ ଏଭଳି ଆକ୍ରମଣ କରି ଚାଲିଛନ୍ତି। ସେତେବେଳେ ୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ତେବେ ୨୦୧୭ ପରଠାରୁ ଅତି କମରେ ୨,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୦୦,୦୦୦ ରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି।