ପାକିସ୍ତାନରେ କାହିଁକି ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ? ତାଜା ହୋଇଗଲା ୨୦୦୯ର ଘଟଣା, ଯେବେ ଖେଳାଳୀଙ୍କୁ ବଞ୍ଚାଇବାକୁ ପଡିଆରେ ଓହ୍ଲାଇଥିଲା ହେଲିକପ୍ଟର? 

Advertisment
ପାକିସ୍ତାନରେ କାହିଁକି ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ? ତାଜା ହୋଇଗଲା ୨୦୦୯ର ଘଟଣା, ଯେବେ ଖେଳାଳୀଙ୍କୁ ବଞ୍ଚାଇବାକୁ ପଡିଆରେ ଓହ୍ଲାଇଥିଲା ହେଲିକପ୍ଟର? 

କନକ ବ୍ୟୁରୋ : ମ୍ୟାଚ୍ ଆରମ୍ଭ ହେବାକୁ ଆଉ କିଛି ମିନିଟ୍ ବାକି ଥାଏ । ଷ୍ଟାଡିୟମ ପୂରା ପ୍ରସ୍ତୁତ ଥାଏ । ଟିଭିକୁ ଚାହିଁ ବସିଥାନ୍ତି ଦର୍ଶକ । କାରଣ ପାକିସ୍ତାନ-ନ୍ୟୁଜିଲାଣ୍ଡ ଭିତରେ ହେବାକୁ ଯାଉଥିଲା ମ୍ୟାଚ୍ । ଆଉ ତାହା ବି ପୁଣି ପାକିସ୍ତାନରେ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପୂରା ସିରିଜକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ସୁରକ୍ଷା କାରଣରୁ ପାକିସ୍ତାନରେ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲା କିୱି ଟିମ୍ । ଆଉ କିୱି ଟିମର ଏଭଳି ନିଷ୍ପତ୍ତି ଫଳରେ ୩ ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବାତିଲ ହୋଇଛି । ଆଉ ଏହାସହ କିୱି ଟିମ୍ ଆଜି ନ୍ୟୁଜିଲାଣ୍ଡ ଫେରିଯିବାକୁ ନିଷ୍ପତ୍ତି ନେଇଛି । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଖେଳାଳୀଙ୍କ ସୁରକ୍ଷାକୁ ନେଇ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବାପରେ ମଧ୍ୟ କିୱି ଟିମ୍ ନ୍ୟୁଜିଲାଣ୍ଡକୁ କମବ୍ୟାକ୍ କରିବାକୁ ନିଷ୍ପତ୍ତି ନେଇଛି । ତେବେ ପାକିସ୍ତାନରେ ଖେଳିବାକୁ କାହିଁକି ଭୟ କଲେ ନ୍ୟୁଜିଲାଣ୍ଡ ଖେଳାଳୀ? ଇମ୍ରାନଙ୍କ ପ୍ରତିଶ୍ରୁତି ପରେ କାହିଁକି ଖେଳିବାକୁ ପଛଘୁଞ୍ଚା ଦେଲେ କିୱି ଟିମ୍? ଏହାର କାରଣ ଜାଣିବାକୁ ହେଲେ ୧୨ ବର୍ଷ ପଛକୁ ଫେରିବାକୁ ହେବ । ଆଉ ସେତେବେଳେ ଯେଉଁ ଘଟଣା ପାକିସ୍ତାନରେ ଘଟିଥିଲା ତାହା ବିଶ୍ୱ କ୍ରିକେଟପ୍ରେମୀଙ୍କୁ ହତଚକିତ କରିଦେଇଥିଲା ।

publive-image୨୦୦୯ରେ ପାକିସ୍ତାନ ଗସ୍ତରେ ମ୍ୟାଚ୍ ଖେଳିବାକୁ ଆସିଥିଲା ପଡୋଶୀ ଶ୍ରୀଲଙ୍କା । ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହେବା ପରେ ଗଦ୍ଦାଫି ଷ୍ଟାଡିୟମରେ  ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚର ତୃତୀୟ ଦିନରେ ଖେଳ ପାଇଁ ହୋଟେଲରୁ ଗଦ୍ଦାଫି ଷ୍ଟାଡିୟମ ଅଭିମୁଖେ ଗଡିଥିଲା ଶ୍ରୀଲଙ୍କା ଖେଳାଳୀଙ୍କ ବସ୍ । ଷ୍ଟାଡିୟମରେ ବସ୍ ପହଞ୍ଚିବାକୁ ଆଉ ଅଳ୍ପ କେଇ ମିନିଟ୍ ବାକି ଥିଲା ହଠାତ୍ ରାସ୍ତା ଉପରେ ୧୨ ଜଣ ଆତଙ୍କବାଦୀ ବସ୍ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । କେହି କିଛି ଭାବିବା ପୂର୍ବରୁ ବସର କାଚ ଭାଙ୍ଗି ସାରିଥିଲା, ଖେଳାଳୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା । ଆତଙ୍କବାଦୀଙ୍କ କବଳରୁ ବଞ୍ଚି ପୁଣିଥରେ ଘରକୁ ଫେରିବୁ ଏହି ଆଶା ବୋଧହୁଏ ଛାଡି ଦେଇଥିଲେ ଶ୍ରୀଲଙ୍କାର କ୍ରିକେଟର । କିନ୍ତୁ ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଷ୍ଟାଡିୟମ ଭିତରକୁ ନେଇ ଯାଇଥିଲେ । ଆଉ ଅଳ୍ପକେ ବଞ୍ଚି ଯାଇଥିଲା ଶ୍ରୀଲଙ୍କା ଖେଳାଳୀଙ୍କ ଜୀବନ । ଏହି ଆକ୍ରମଣରେ ଶ୍ରୀଲଙ୍କାର ସେତେବେଳର ଅଧିନାୟକ ଥିବା ଜୟବର୍ଦ୍ଧନେ, କୁମାର ସାଙ୍ଗାକାରା, ଅଜନ୍ତା ମେଣ୍ଡିସ, ସମରବୀରା, ଥରଙ୍ଗା, ଚାମିଣ୍ଡା ଭାସ ଆହତ ହୋଇଥିଲେ ।  ଶ୍ରୀଲଙ୍କାର ଖେଳାଳୀ ଅଳ୍ପକେ ବଞ୍ଚି ଯାଇଥିଲେ ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଯବାନଙ୍କ ସହ ୮ ଜଣ ଲୋକ ପ୍ରାଣ ହରାଇଥିଲେ । ଆଉ ଏହି ଆକ୍ରମଣ ପରେ ପଡିଆ ମଝିରେ ଓହ୍ଲାଇଥିଲା ହେଲିକପ୍ଟର । ଆଉ ହେଲିକପ୍ଟରରେ ବସି ପାକିସ୍ତାନ ମାଟିରୁ ସିରିଜ ଅଧାରୁ ଫେରିଥିଲା ଶ୍ରୀଲଙ୍କା । ଆଉ ଏହି ଆକ୍ରମଣ ଖେଳାଳୀଙ୍କ ପାଇଁ ହୋଇଥିବା ପାକିସ୍ତାନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିଲା । ଏହି ଘଟଣା ପରେ ପାକିସ୍ତାନରେ ଖେଳିବାକୁ କୌଣସି ଦେଶ ଚାହୁଁନଥିଲେ ।

publive-imageଆଉ ଏହା ଭିତରେ ଏହି ଆକ୍ରମଣକୁ ୧୨ ବର୍ଷ ପୁରିଥିଲା ବେଳେ ପାକିସ୍ତାନ ଗସ୍ତରେ ଯାଇଥିଲା ନ୍ୟୁଜିଲାଣ୍ଡ । ଏପରିକି ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲା । କିନ୍ତୁ ସୁରକ୍ଷା କାରଣକୁ ନେଇ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ବାତିଲ କରି ନ୍ୟୁଜିଲାଣ୍ଡ ଫେରିଛି କିୱି ଟିମ୍ । କୁହାଯାଉଛି ପଡୋଶୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନକୁ ଖେଳିବାକୁ ଯାଇଥିଲା ନ୍ୟୁଜିଲାଣ୍ଡ । ଆଉ ଏଭଳି ନିଷ୍ପତ୍ତି ମଧ୍ୟ ବେଶ ବିପଦଜନକ ଥିଲା । ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ମଧ୍ୟ ଆତଙ୍କବାଦୀ ସଙ୍ଗଠନ ବେଶ ସକ୍ରିୟ ହୋଇ ଉଠିଛନ୍ତି । ତେବେ କୌଣସି ବଡ ଅଘଟଣ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ  ଖେଳାଳୀଙ୍କ ପାଇଁ ପାକିସ୍ତାନ କରିଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପରେ ସିରିଜ ରଦ୍ଦ କରି ଫେରିବାକୁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe