ପାକିସ୍ତାନରେ କାହିଁକି ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ? ତାଜା ହୋଇଗଲା ୨୦୦୯ର ଘଟଣା, ଯେବେ ଖେଳାଳୀଙ୍କୁ ବଞ୍ଚାଇବାକୁ ପଡିଆରେ ଓହ୍ଲାଇଥିଲା ହେଲିକପ୍ଟର?
କନକ ବ୍ୟୁରୋ : ମ୍ୟାଚ୍ ଆରମ୍ଭ ହେବାକୁ ଆଉ କିଛି ମିନିଟ୍ ବାକି ଥାଏ । ଷ୍ଟାଡିୟମ ପୂରା ପ୍ରସ୍ତୁତ ଥାଏ । ଟିଭିକୁ ଚାହିଁ ବସିଥାନ୍ତି ଦର୍ଶକ । କାରଣ ପାକିସ୍ତାନ-ନ୍ୟୁଜିଲାଣ୍ଡ ଭିତରେ ହେବାକୁ ଯାଉଥିଲା ମ୍ୟାଚ୍ । ଆଉ ତାହା ବି ପୁଣି ପାକିସ୍ତାନରେ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପୂରା ସିରିଜକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ସୁରକ୍ଷା କାରଣରୁ ପାକିସ୍ତାନରେ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲା କିୱି ଟିମ୍ । ଆଉ କିୱି ଟିମର ଏଭଳି ନିଷ୍ପତ୍ତି ଫଳରେ ୩ ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବାତିଲ ହୋଇଛି । ଆଉ ଏହାସହ କିୱି ଟିମ୍ ଆଜି ନ୍ୟୁଜିଲାଣ୍ଡ ଫେରିଯିବାକୁ ନିଷ୍ପତ୍ତି ନେଇଛି । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଖେଳାଳୀଙ୍କ ସୁରକ୍ଷାକୁ ନେଇ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବାପରେ ମଧ୍ୟ କିୱି ଟିମ୍ ନ୍ୟୁଜିଲାଣ୍ଡକୁ କମବ୍ୟାକ୍ କରିବାକୁ ନିଷ୍ପତ୍ତି ନେଇଛି । ତେବେ ପାକିସ୍ତାନରେ ଖେଳିବାକୁ କାହିଁକି ଭୟ କଲେ ନ୍ୟୁଜିଲାଣ୍ଡ ଖେଳାଳୀ? ଇମ୍ରାନଙ୍କ ପ୍ରତିଶ୍ରୁତି ପରେ କାହିଁକି ଖେଳିବାକୁ ପଛଘୁଞ୍ଚା ଦେଲେ କିୱି ଟିମ୍? ଏହାର କାରଣ ଜାଣିବାକୁ ହେଲେ ୧୨ ବର୍ଷ ପଛକୁ ଫେରିବାକୁ ହେବ । ଆଉ ସେତେବେଳେ ଯେଉଁ ଘଟଣା ପାକିସ୍ତାନରେ ଘଟିଥିଲା ତାହା ବିଶ୍ୱ କ୍ରିକେଟପ୍ରେମୀଙ୍କୁ ହତଚକିତ କରିଦେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୯ରେ ପାକିସ୍ତାନ ଗସ୍ତରେ ମ୍ୟାଚ୍ ଖେଳିବାକୁ ଆସିଥିଲା ପଡୋଶୀ ଶ୍ରୀଲଙ୍କା । ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହେବା ପରେ ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚର ତୃତୀୟ ଦିନରେ ଖେଳ ପାଇଁ ହୋଟେଲରୁ ଗଦ୍ଦାଫି ଷ୍ଟାଡିୟମ ଅଭିମୁଖେ ଗଡିଥିଲା ଶ୍ରୀଲଙ୍କା ଖେଳାଳୀଙ୍କ ବସ୍ । ଷ୍ଟାଡିୟମରେ ବସ୍ ପହଞ୍ଚିବାକୁ ଆଉ ଅଳ୍ପ କେଇ ମିନିଟ୍ ବାକି ଥିଲା ହଠାତ୍ ରାସ୍ତା ଉପରେ ୧୨ ଜଣ ଆତଙ୍କବାଦୀ ବସ୍ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । କେହି କିଛି ଭାବିବା ପୂର୍ବରୁ ବସର କାଚ ଭାଙ୍ଗି ସାରିଥିଲା, ଖେଳାଳୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା । ଆତଙ୍କବାଦୀଙ୍କ କବଳରୁ ବଞ୍ଚି ପୁଣିଥରେ ଘରକୁ ଫେରିବୁ ଏହି ଆଶା ବୋଧହୁଏ ଛାଡି ଦେଇଥିଲେ ଶ୍ରୀଲଙ୍କାର କ୍ରିକେଟର । କିନ୍ତୁ ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଷ୍ଟାଡିୟମ ଭିତରକୁ ନେଇ ଯାଇଥିଲେ । ଆଉ ଅଳ୍ପକେ ବଞ୍ଚି ଯାଇଥିଲା ଶ୍ରୀଲଙ୍କା ଖେଳାଳୀଙ୍କ ଜୀବନ । ଏହି ଆକ୍ରମଣରେ ଶ୍ରୀଲଙ୍କାର ସେତେବେଳର ଅଧିନାୟକ ଥିବା ଜୟବର୍ଦ୍ଧନେ, କୁମାର ସାଙ୍ଗାକାରା, ଅଜନ୍ତା ମେଣ୍ଡିସ, ସମରବୀରା, ଥରଙ୍ଗା, ଚାମିଣ୍ଡା ଭାସ ଆହତ ହୋଇଥିଲେ । ଶ୍ରୀଲଙ୍କାର ଖେଳାଳୀ ଅଳ୍ପକେ ବଞ୍ଚି ଯାଇଥିଲେ ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଯବାନଙ୍କ ସହ ୮ ଜଣ ଲୋକ ପ୍ରାଣ ହରାଇଥିଲେ । ଆଉ ଏହି ଆକ୍ରମଣ ପରେ ପଡିଆ ମଝିରେ ଓହ୍ଲାଇଥିଲା ହେଲିକପ୍ଟର । ଆଉ ହେଲିକପ୍ଟରରେ ବସି ପାକିସ୍ତାନ ମାଟିରୁ ସିରିଜ ଅଧାରୁ ଫେରିଥିଲା ଶ୍ରୀଲଙ୍କା । ଆଉ ଏହି ଆକ୍ରମଣ ଖେଳାଳୀଙ୍କ ପାଇଁ ହୋଇଥିବା ପାକିସ୍ତାନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିଲା । ଏହି ଘଟଣା ପରେ ପାକିସ୍ତାନରେ ଖେଳିବାକୁ କୌଣସି ଦେଶ ଚାହୁଁନଥିଲେ ।
ଆଉ ଏହା ଭିତରେ ଏହି ଆକ୍ରମଣକୁ ୧୨ ବର୍ଷ ପୁରିଥିଲା ବେଳେ ପାକିସ୍ତାନ ଗସ୍ତରେ ଯାଇଥିଲା ନ୍ୟୁଜିଲାଣ୍ଡ । ଏପରିକି ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲା । କିନ୍ତୁ ସୁରକ୍ଷା କାରଣକୁ ନେଇ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ବାତିଲ କରି ନ୍ୟୁଜିଲାଣ୍ଡ ଫେରିଛି କିୱି ଟିମ୍ । କୁହାଯାଉଛି ପଡୋଶୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନକୁ ଖେଳିବାକୁ ଯାଇଥିଲା ନ୍ୟୁଜିଲାଣ୍ଡ । ଆଉ ଏଭଳି ନିଷ୍ପତ୍ତି ମଧ୍ୟ ବେଶ ବିପଦଜନକ ଥିଲା । ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ମଧ୍ୟ ଆତଙ୍କବାଦୀ ସଙ୍ଗଠନ ବେଶ ସକ୍ରିୟ ହୋଇ ଉଠିଛନ୍ତି । ତେବେ କୌଣସି ବଡ ଅଘଟଣ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଖେଳାଳୀଙ୍କ ପାଇଁ ପାକିସ୍ତାନ କରିଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପରେ ସିରିଜ ରଦ୍ଦ କରି ଫେରିବାକୁ ନିଷ୍ପତ୍ତି ନେଇଛି ।