ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର

112

କନକ ବ୍ୟୁରୋ: ପୁଣି ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଆଉ ଏଥର ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଯେଉଁଥିରେ ୨ ଜଣ ସ୍କୁଲ ଶୀକ୍ଷକ ପ୍ରାଣ ହରାଇଛନ୍ତି । ୪୮ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ଦୁଇ ଦୁଇ ଥର ଆକ୍ରମଣ ହେଲାଣି । ଆଉ ଏଥର ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ ।

ଜମ୍ମୁ କାଶ୍ମୀର, ଶ୍ରୀନଗରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ । ଏଥର ଏକ ସ୍କୁଲକୁ ଟାର୍ଗେଟ କରାଯାଇଛି । ଆତଙ୍କବାଦୀମାନେ ସ୍କୁଲରେ ପଶି ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି । ମୃତକ ଦୁଇଜଣ ହେଲେ ଇଦଘା ଅଂଚଳରେ ଥିବା ସରକାରି ସ୍କୁଲରେ ପ୍ରିନ୍ସିପାଲ ଓ ଶିକ୍ଷକ । ତେବେ ଆକ୍ରମଣ ସମୟରେ ସ୍କୁଲରେ ଛାତ୍ରଛାତ୍ରୀ ନଥିବା ସୁଚନା ମିଳିଛି । ସ୍କୁଲକୁ ଦୁଇଜଣ ଶିକ୍ଷକ ଆସିଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଅତି ପାଖରୁ ଗୁଳି କରିଥିଲେ । ଗୁଳି ମୃତ ଶିକ୍ଷକଙ୍କ ମୁଣ୍ଡରେ ବାଜିଥିଲା । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨ରୁ ୩ ବୋଲି ଜଣାପଡିଛି । ତେବେ ଏହି ଘଟଣା ଭିଆଇବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ୍ ସୂଚନା ଦେଇଛି । ଘଟଣାସ୍ଥଳ ପୁଲିସ ଛାଉଣୀ ଦେଖିବାକୁ ମିଳିଛି । ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରାଯାଇ ସର୍ଚ ଅପରେସନ ଆରମ୍ଭ ହୋଇଛି ।

ଆତଙ୍କବାଦୀ ହମଲାରେ ଶୀକ୍ଷକଙ୍କ ମୃତ ପରେ ସେମାନଙ୍କ ଘରେ ଶୋକର ମାହୋଲ ଦେଖିବାକୁ ମିଳିଛି । ମୃତ ପ୍ରିନ୍ସିପାଲ ସୁପନ୍ଦର କୌରଙ୍କ ଘରେ ମଧ୍ୟ ଶୋକର ମାହୋଲ ଦେଖିବାକୁ ମିଳିଛି । ଗତ ୭ ଦିନ ମଧ୍ୟରେ ୭ ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିସାରିଲେଣି । ଆଉ ଏହି ଘଟଣା ପାଇଁ ଦ ରେଜିଷ୍ଟାଂଟ୍ ଫ୍ରଂଟ୍ ନାମକ ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିଛି । ସେପଟେ ଏହି ଘଟଣାକୁ ନେଇ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ ଜରୁରୀ ବୈଠକ ଡାକିଛନ୍ତି । ଘାଟିରେ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଏହା ହେଉଛି ସପ୍ତମ ଆତଙ୍କବାଦୀ ଆକ୍ରମଣ । ମଙ୍ଗଳବାରଦିନ ଆତଙ୍କାବଦୀମାନେ ଏକ ଘଂଟା ଭିତରେ ୩ଟି ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୩ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ କାଶ୍ମୀର ପଣ୍ଡିତ ଥିଲେ । ସେହିଭଳି ଅନ୍ୟ ଏକ ଘଟଣାରେ ବିହାରରୁ ଆସିଥିବା ଶ୍ରୀନଗରରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ବି ହତ୍ୟା କରାଯାଇଥିଲା ।