କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କୀ । ଲଗାତାର ଭାବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ରବିବାର ୨ଜଣ ଶ୍ରମିକଙ୍କୁ ହତ୍ୟା କରିବା ପରେ ଘାଟିରେ ଭୟର ବାତାବରଣ ଖେଳି ଯାଇଛି । ପାକିସ୍ତାନର ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ଦ୍ୱାରା ପରିଚାଳିତ ୟୁନାଇଟେଡ ଲିବରେସନ ଫ୍ରଣ୍ଟ ବା ୟୁଏଲଏଫ କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ଚେତାବନୀ ଦେଇଛି ।

Advertisment

ସେମାନଙ୍କୁ ସଂଗଠନ ପକ୍ଷରୁ ତୁରନ୍ତ କଶ୍ମୀର ଛାଡିବାକୁ କୁହାଯାଇଛି । ଯଦି ସେମାନେ କଶ୍ମୀର ନଛାଡିବେ ତାହେଲେ ସେମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ସଂଗଠନ ଧମକ ଦେଇଛି । ସେପଟେ ଜମ୍ମୁକଶ୍ମୀର ରେଳଷ୍ଟେସନରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ରାଜ୍ୟ ଛାଡିବା ଭିଡ ଜମାଇଛନ୍ତି । ୧୬ ଦିନରେ ୧୧ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ । ସେପଟେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଘାଟିରେ ଆତଙ୍କରାଜ କମାଇବା ପାଇଁ ଲଗାତାର ଭାବେ ଚାଲିଛି ସେନାର ସର୍ଚ୍ଚ ଅପରେସନ୍ । ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା । ପୁଞ୍ଚ ସେକ୍ଟରରେ ଗତ ୭ ଦିନ ଧରି ଚାଲିଛି ସେନାର ଆତଙ୍କୀ ନିରୋଧି ଅଭିଯାନ । ଏବେ ସୁଦ୍ଧା ୭ଶହ ଜଣଙ୍କୁ ହାଜତକୁ ନେଇ ଜେରା କରାଯାଉଥିବାବେଳେ ୧୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ସେପଟେ ବିହାରର ୨ ଜଣ ଶ୍ରମିକଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଫୋନରେ କଥା ହୋଇ ଚିନ୍ତା ପ୍ରକାଶ କରିଛନ୍ତି ।

ଜମ୍ମୁକଶ୍ମୀରରେ ବର୍ତମାନ ୩ଟି ନୂଆ ଆତଙ୍କୀ ସଂଗଠନ ସକ୍ରିୟ ହୋଇ ଉଠିଛି । ୟୁଏଲଏଫ, ହରକତ ୩୧୩ ଓ ଦ ରେଜିମେଣ୍ଟ ଭଳି ସଂଗଠନର ନା ସାମ୍ନାକୁ ଆସିିଛି । ଫଳରେ କେନ୍ଦ୍ର ସରକାର ଏହାକୁ ନେଇ ସତର୍କ ହୋଇପଡିଛନ୍ତି ।