ନବରଙ୍ଗପୁର ସୀମାନ୍ତ ଜଙ୍ଗଲରେ ହାତୀ ଆତଙ୍କ : ଏକର ଏକର ମକା ଫସଲ ନଷ୍ଟ କଲେ ହାତୀ ପଲ

ଗତିବିଧି ଉପରେ ନଜର ରଖିଛି ନେଇ ବନ ବିଭାଗ; ପ୍ରଥମ ଥର ଅଂଚଳକୁ ହାତୀ ଆସିଥିବାରୁ ଲୋକେ ଆତଙ୍କିତ

85

କନକ ବ୍ୟୁରୋ : ନବରଙ୍ଗପୁର ସୀମାନ୍ତ ଜଙ୍ଗଲରେ ହାତୀ ଆତଙ୍କ  । ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟସ୍ଥ ହାତିଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ । ଗତ କିଛି ଦିନ ଧରି ରାତି ସମୟରେ ଛତିଶଗଡ଼ ଗାରିଆବନ୍ଧର ସାଲେଭାଟା ଜଙ୍ଗଲରୁ ହାତୀପଲ ପଶି ଆସିଥିଲେ । ସାରା ରାତି ଜଙ୍ଗଲରେ ତାଣ୍ଡବ ରଚିବା ସହିତ ଏକର ଏକର ମକା ଫସଲ ନଷ୍ଟ କରି ଛତିଶଗଡ଼ ଜଙ୍ଗଲକୁ ଫେରି ଯାଇଥିଲେ । ଖବର ପାଇ ରାଇଘର ରେଞ୍ଜର ଏକ ଟିମ୍ ହାତୀ ଗାଁ ଜଙ୍ଗଲ ମଧ୍ୟରେ ପଶି ହାତୀ ପଲର ପାଦ ଚିହ୍ନ ଦେଖିବା ସହିତ ସେମାନଙ୍କ ଚଲାପଥ ଅନୁସରଣ କରି ଛତିଶଗଡ ସୀମା ପର୍ଯ୍ୟନ୍ତ ଯାଇ ଫେରି ଆସିଛନ୍ତି । ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛି  । ପ୍ରଥମ ଥର ଅଂଚଳକୁ ହାତୀ ଆସିଥିବାରୁ ଲୋକେ ଆତଙ୍କିତ ଅଛନ୍ତି ।

ସେପଟେ, ପାଟଣାଗଡ଼ରେ ବି ହାତୀଙ୍କ ଉପଦ୍ରବ । ଲାରମ୍ଭାରେ ଫରେଷ୍ଟ ସେକ୍ସନର ଇନ୍ଦ୍ରପୁର, କହ୍ନେଇଟାଳ, ଲାରମ୍ଭାର, ଡୁଡୁକାପଡ଼ା ଅଂଚଳରେ ହାତୀ ଆତଙ୍କ । ଦୁଇଟି ହାତୀ ଏହି ଅଂଚଳରେ ପଶି କ୍ଷୟକ୍ଷତି କରୁଛନ୍ତି । ଘରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଲୋକେ ଭୟଭୀତ ଥିବା ବେଳେ ବନ ବିଭାଗ ପକ୍ଷରୁ ଘଉଡାଇବାକୁ ଉଦ୍ୟମ କରାଯାଉଛି । ଇନ୍ଦ୍ରପୁର ଗାଁ ଭିତରକୁ ଦୁଇ ହାତୀ ପଶି ଅନେକ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି । ହାତୀଙ୍କ ଆତଙ୍କ ଯୋଗୁ ଜଙ୍ଗଲ ନିକଟରେ ରହୁଥିବା ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।