ମାର୍କେଟ୍ ବିଲ୍ଡିଂ ମୁଖାପିନ୍ଧାଙ୍କ ମୁଖା ଖୋଲିଲା । ଦଙ୍ଗା ଭଳି ସାଂଘାତିକ ଦଫା ଲଗାଇଲା ପୁଲିସ । ୧୨ ଜଣ ନାବାଳକଙ୍କ ସମେତ ୧୮ ଜଣ ଗିରଫ, ଅଧିକାଂଶ ସ୍କୁଲ ପିଲା ସାମିଲ ।

877

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଭଙ୍ଗାରୁଜା ଘଟଣାରେ ସାମିଲ ଥିଲେ ସ୍କୁଲ ଛାତ୍ର । ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସାମିଲ ଅଛନ୍ତି ୧୨ ଜଣ ନାବାଳକ । ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡକୁ ବେଶ ଗୁରୁତର ଭାବରେ ନେଇଛି ପୁଲି୍ସ । ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଏବଂ ସର୍ବସାଧାରଣ ସ୍ଥାନରେ ହିଂସା ଭିଆଇବା ଭଳି ସାଂଘାତିକ୍ ମାମଲା ରୁଜୁ ହୋଇଛି । ଆଜି ପୁରା ହିଂସାକାଣ୍ଡ ଉପରୁ ପରଦା ହଟାଇଛନ୍ତି ପୁଲିସ କମିଶନର ।

ମୁଖାପିନ୍ଧାଙ୍କ ମୁଖା ଖୋଲିଲା । ସାମ୍ନାକୁ ଆସିଲା ଗଣ୍ଡଗୋଳର ରହସ୍ୟ । ମାର୍କେଟ୍ ବିଲ୍ଡିଂ ଭଙ୍ଗାରୁଜାରେ ସ୍କୁଲ ପିଲା । ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ, ଏଭଳି ଏକ ହିଂସାକାଣ୍ଡ ଏବଂ ଭଙ୍ଗାରୁଜା ଘଟଣା ହୁଏତ, ପୂର୍ବରୁ କେବେ ଘଟିନଥିଲା । ଦିଲ୍ଲୀର ଜେଏନୟୁ ଷ୍ଟାଇଲରେ ମୁଖା ପିନ୍ଧି ୩୦ ଜଣ ପିଲା ଏଭଳି ଘଟଣା ଘଟାଇଥିଲେ, ଯାହା ପୁରା ଅଂଚଳକୁ କିଛି ସମୟ ଧରି ସ୍ତବ୍ଧ କରିଦେଇଥିଲା । ଆଉ ଏହି ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି ପୁଲିସ୍ କମିଶନର ।

ପୁଲିସ୍ କମିଶନର ଦେଇଥିବା ସୂଚନା ଅନୁସାରେ, ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିନ୍ତୁ ବଡ଼ କଥା ହେଉଛି, ଘଟଣାରେ ସଂପୃକ୍ତ ଅଧିକାଂଶ ସ୍କୁଲ ଛାତ୍ର । ମୁଖାପିନ୍ଧି ଆତଙ୍କ ଚଲାଇଥିବା ଦୁର୍ବୃତଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ୬ ସାବାଳକ ଥିଲେ । ଆଉ ଏହି ପୁରା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋପୀ, ଚିଂଟୁ ଓ ପ୍ରୀତମ । ପୁଲିସ୍ ଏହି ଘଟଣାକୁ ବେଶ ଗୁରୁତର ସହ ନେଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଏବଂ ସର୍ବସାଧାରଣ ସ୍ଥାନରେ ହିଂସା ଭିଆଇବା ଭଳି ସାଂଘାତିକ୍ ମାମଲା ରୁଜୁ କରିଛି ।

ଘଂଟା କିଣାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ପୁରା ବିବାଦ । ମାର୍କେଟ୍ ବିଲ୍ଡିଂରେ ଥିବା ଏକ ଘଂଟା ଦୋକାନରେ ଗ୍ରାହକ ଯୁବକ-ଯୁବତୀଙ୍କ ସହ ଦୋକାନୀଙ୍କ ବଚସା ହୋଇଥିଲା । ସଂପୃକ୍ତ ଦୋକାନୀ, ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହେବା ପରେ ଗଣ୍ଡଗୋଳ ହୋଇଥିଲା । ମାମଲା ଥାନାରେ ଯାଇ ପହଂଚିଥିଲା । ଥାନରେ ବୁଝାମଣା ହେଲା ସତ, ହେଲେ ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ ସପକ୍ଷରେ ୩୦ ଜଣ ଆସି ବ୍ୟାପକ ହିଂସାକାଣ୍ଡ ଘଟଣାଥିଲେ ।