କନକ ବ୍ୟୁରୋ: ଗତକାଲି ରାତିରେ ଦିଲ୍ଲୀ ପୋଲିସ ହାତରେ ଧରା ପଡିଛନ୍ତି ୬ ଜଣ ସନ୍ଦିଗ୍ଧ । ୬ ଜଣଙ୍କୁ ଗିରଫ କରିବା ପରେ ଷଡଯନ୍ତ୍ର ସାମ୍ନାକୁ ଆସିଛି । ପୂଜା ସିଜିନରେ ଏମାନେ ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ଏହି ସନ୍ଦିଗ୍ଧମାନଙ୍କଠାରୁ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Advertisment

ଧରାପଡିଥିବା ଏହି ସନ୍ଦିଗ୍ଧମାନେ ହେଲେ ଜିସାନ, ଆମିର ଜାବେଦ, ଜାନ ମହମ୍ମଦ, ମୁଲଚନ୍ଦ, ଅବୁ ବକର ସାମିଲ ଅଛନ୍ତି । ଦିଲ୍ଲୀ ଓ ୟୁପିର ବିଭିନ୍ନ ସ୍ଥାନରେ ଚଢଉ କରି ପୋଲିସ ଏମାନଙ୍କୁ ଗିରଫ କରିଛି । ତେବେ ଆସନ୍ତୁ ଜାଣିବା ଏହି ସନ୍ଦିଗ୍ଧମାନେ କେଉଁଠି ରହୁଥିଲେ ଓ କଣ କରୁଥିଲେ ।

ଜିଶାନ କମର
ଏହି ସନ୍ଦିଗ୍ଧକୁ ୟୁପିରୁ ଗିରଫ କରାଯାଇଛି । ଜିଶାନ ଏମବିଏ କରିବା ସହ ଦୁବାଇରେ ଆକାଉଣ୍ଟାଣ୍ଟ ଭାବେ କାମ କରି ସାରିଛନ୍ତି । ଆଉ ଲକଡାଉନ ସମୟରେ ଘରକୁ ଆସିଥିଲେ ଜିଶାନ ଆଉ ଏବେ ଖଜୁରୀ ବ୍ୟବସାୟ କରୁଥିଲେ ।

ଆମିର ଜାବେଦ
ଏହି ସନ୍ଦିଗ୍ଧକୁ ୟୁପିର ଲକ୍ଷ୍ନୌରୁ ଗିରଫ କରାଯାଇଥିଲା । ଆମିର ଜାବେଦ ହେଉଛି ଜିସାନର ସମ୍ପର୍କୀୟ ।ଆମିର ସଉଦି ଆରବରେ କାମ କରୁଥିଲେ । ସେ ମଜହବି ଶିକ୍ଷା ମଧ୍ୟ ଦେଉଥିଲେ । ଆମିର ଜାବେଦଙ୍କ ପରିବାର ଲୋକ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ପୁଅ ଏଭଳି ଆତଙ୍କୀ ସଂଗଠନରେ ସାମିଲ ଥିବେ ବୋଲି ।

ଜାନ ମହମ୍ମଦ
ଜାନ ମହମ୍ମଦ ପେଶାରେ ଜଣେ ଡ୍ରାଇଭର । ଜାନଙ୍କୁ ୨୦୦୧ରେ ଏକ ମାମଲାରେ ଗିରଫ କରାଯାଇଥିଲା । ଜାନଙ୍କ ପରିବାର ମୁମ୍ବାଇର ସାୟନରେ ରହୁଛନ୍ତି । ପ୍ରାୟ ୧୦ ବର୍ଷ ତଳେ ଜାନଙ୍କ ବାପା-ମାଆଙ୍କ ମୃତ୍ୟୁ ହୋଇସାରିଛି ।

ମୁଲଚାନ୍ଦ
ସୂଚନା ଅନୁସାରେ ମୁଲଚାନ୍ଦଙ୍କ ନେଟୱାର୍କ ଅଣ୍ଡରୱାଲ୍ଡ ସହ ରହିଛି । ସେ ଡି କମ୍ପାନୀ ପାଇଁ କାମ କରୁଥିବା କୁହାଯାଇଛି । ଏଠାରେ ସେ ଏଚ ଚାଷୀ ଭାବେ କାମ କରୁଥିଲା ।

ଅବୁ ବକର
ଅବୁ ବକରର ଘର ୟୁପିରେ । ସେ ସାଉଦୀଆରବରେ ରହି କାମ କରୁଥିଲା । କିଛି ବର୍ଷ ହେବ ସେ ୟୁପି ଫେରିଥିଲା । ଅବୁ ବକର ୟୁପିର ବହରାଇଚରେ ନିଜ ଭାଇ ସହ ରହୁଥିଲେ । ତାଙ୍କ ବାପା ସାଉଦିଆରବରେ ବହୁ ବର୍ଷ ହେବ ରହିଆସୁଛନ୍ତି । ଅବୁ ବକର ବିବାହିତ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

ଓସାମା
ଦିଲ୍ଲୀରୁ ଗିରଫ ହୋଇଥିବା ଓସାମାର ପରିବାର ଡ୍ରାଏଫୁଟ ବ୍ୟବସାୟ । ବ୍ୟବସାୟ ପାଇଁ ଅନେକ ଥର ଓସାମା ଦେଶ ବାହାରକୁ ମଧ୍ୟ ଯାଆନ୍ତି । ଅଭିଯୋଗ ଅନୁସାରେ ଆତଙ୍କୀ ଟ୍ରେନିଂ ପାଇଁ ସେ ପ୍ରଥମେ ମସ୍କଟ ଯାଇଥିଲେ ଆଉ ଜଳପଥ ଦେଇ ପାକିସ୍ତାନରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ ଏହି ସନ୍ଦିଗ୍ଧ ଯୁବକମାନେ ପାକିସ୍ତାନର ଖୁଫିଆ ଏଜେନ୍ସି ଆଇଏସଆଇ ସହ ଲିଙ୍କରେ ଥିଲେ । ଏହି ଆତଙ୍କୀମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପୋଲିସ ଆଜି କୋର୍ଟରେ ହାଜର କରାଇବ ।