ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ : ୪ ବଖରା ଘର ସହ ଗୋଟିଏ ଦୋକାନ ପୋଡି ପାଉଁଶ; ୨୦୦ ପାରା ଜୀବନ୍ତ ଦଗ୍ଧ

111

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ୪ ବଖରା ଘର ସହ ଗୋଟିଏ କ୍ୟାବିନ ପୋଡି ପାଉଁଶ ହୋଇଯାଇଛି । ଏହି ଘରେ ଥିବା ୨୦୦ ପାରା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧ ଟା ସମୟରେ ରାଜନଗର ଗାଁର ଅଭିରାମ ମହାନ୍ତିଙ୍କ ଅଣ୍ଡା ଦୋକାନରେ ହୁ ହୁ ହୋଇ ନିଆଁ ଜଳିଥିଲା । ଲୋକେ ନିଆଁ ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ନିଦରୁ ଉଠିଲା ବେଳକୁ ନିଆଁ ଘରକୁ ବ୍ୟାପି ସାରିଥିଲା ।

ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘରୁ ଓ କ୍ୟାବିନରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇନଥିବାରୁ ଘରକୁ ପଶି ପାରିନଥିଲେ । ହେଲେ ନିକଟରେ ଥିବା ଅନ୍ୟ ତିନିଟି କ୍ୟାବିନକୁ ନିଶ୍ଚିତ ଅଗ୍ନିକାଣ୍ଡରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ଫୋନ୍ କରାଗଲେ ବି କେହି ଫୋନ୍ ଉଠାଇନଥିଲେ । ରାଜନଗର ଲୋକେ ଦୁଇ କିଲୋମିଟର ଦୂରସ୍ଥ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ ବିଚ୍ଛିନ୍ନ କରିଥିଲେ । ସେତେବେଳକୁ ବିଳମ୍ବ ହୋଇ ସାରିଥିବାରୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା । ପିନ୍ଧା ଲୁଗା ବ୍ୟତୀତ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନାହିଁ ।

ସବୁଠୁ ବଡ଼ କଥା ହେଲା ଅଭିରାମଙ୍କ ପୁଅ ସନାତନ ୨୦୦ ପାରା ରଖିଥିଲେ । ମାତ୍ର ବିଦ୍ୟୁତ କାରଣରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘର ଭିତରକୁ ପଶି ହୋଇନଥିଲା କିମ୍ବା ପାରାମାନଙ୍କୁ ମୁକ୍ତ କରାଯାଇ ପାରି ନଥିଲା । ଅଭିରାମ ଅଣ୍ଡା ବ୍ୟବସାୟ କରି ପରିବାର ଭରଣ ପୋଷଣ କରନ୍ତି । ଏକା ସମୟରେ ଜୀବିକା ସହିତ ବାସଗୃହ ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଥିବାରୁ ସେ ଚିନ୍ତିତ ଅଛନ୍ତି ।

Comments are closed.