କଳାର ସ୍ପର୍ଶ୍ପରେ ଜୀବନ୍ତ ହୋଇ ଉଠୁଛି ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ ଆଣିଦେଇଛି ସ୍ୱାବଲମ୍ବୀ ହେବାର ସୁଯୋଗ । ଚର୍ଚ୍ଚାରେ ଯାଜପୁର ମଙ୍ଗରାଜପୁର ଗାଁର ୩୦ ଜଣ ମହିଳା 

77

କନକ ବ୍ୟୁରୋ: ଟେରାକୋଟା କାରିଗରୀ ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବୀ ମହିଳାଙ୍କ ଟେରାକୋଟାର ଅନନ୍ୟ କାରିଗରି ସମ୍ପର୍କରେ ।

ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ମହିଳା ଘରକାମ କରିବା ସହ ଅବସର ସମୟରେ ତିଆରି କରୁଛନ୍ତି ଭଳିକି ଭଳି ଟେରାକୋଟା ମୂର୍ତି । ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଦୁଇଟି ଗ୍ରୁପ ତିଆରି କରି ୨୦୧୮ରୁ  ଆରମ୍ଭ କରିଛନ୍ତି ଟେରାକୋଟା କାରିଗରି । ବିଲରୁ ମାଟିକୁ ସଂଗ୍ରହ କରି ତାକୁ ଚକଟି ହାତରେ ଖୁବ୍ ସୁନ୍ଦର ସୁନ୍ଦର ମାଟିମୂର୍ତି ତିଆରି କରୁଛନ୍ତି । ଗଣେଷ, କଇଁଛ, ଧୂପଦାନୀ, ଡଙ୍ଗା, ହାତୀ, ଦୀପ, ପେନଷ୍ଟାଣ୍ଡ, ଇତ୍ୟାଦି ତିଆରି କରି ଭାଟିରେ ପୋଡିବା ପରେ ରଙ୍ଗଦେଇ ବଜାରରେ ବିକ୍ରି କରୁଛନ୍ତି ମଙ୍ଗରାଜପୁରର ମହିଳା ।

ଆଂଚଳିକ ଶିଳ୍ପକେନ୍ଦ୍ର କଳିଙ୍ଗନଗର ଜଗତପୁର ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉପଯୁକ୍ତ ତାଲିମ ଦିଆଯାଇଛି ଏବଂ ଏମାନେ ତିଆରି କରୁଥିବା ଟେରାକୋଟା ସମଗ୍ରୀ ଗୁଡିକକୁ ଜିଲ୍ଳା ଓ ରାଜ୍ୟସ୍ତରରେ  ହେଉଥିବା ବାଣିଜ୍ୟ ମେଳାରେ ବିକ୍ରି କରିଥାନ୍ତି । ଆଉ ଟେରାକୋଟା କରିଗରି କାମ କରି ଗାଁର ୩୦ଟି ପରିବାରର ମହିଳାମାନେ ମାସକୁ ପ୍ରାୟ ୨ରୁ ୩ ହଜାର ଟଙ୍କା ରୋଜଗାର କରିଥାନ୍ତି । ମଙ୍ଗରାଜପୁର ଗାଁର ଏହି ମହିଳା ମାନଙ୍କର ଟେରାକୋଟା ଶିଳ୍ପକୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ।