ପୌରସଂସ୍ଥାରେ ମିଶିବ ପୁରୀ ଲଜିଂ ହାଉସ ଫଣ୍ଡ ! ବନ୍ଦ ହେବ ପୁରୀର ପ୍ରବେଶ ପଥରେ ଆଦାୟ ହେଉଥିବା ତୀର୍ଥକର ।

36

କନକ ବ୍ୟୁରୋ: ବନ୍ଦ ହେବ ପୁରୀର ପ୍ରବେଶ ପଥରେ ଆଦାୟ ହେଉଥିବା ତୀର୍ଥକର । ପୁରୀରେ ପୌରସଂସ୍ଥା ଅଧିନକୁ ଚାଲିଯିବ ଧର୍ମଶାଳା । ଉଚ୍ଛେଦ ହେବ ବିହାର ଓଡିଶା ପ୍ଲେସେସ୍ ଅଫ୍ ପିଲଗ୍ରିମ୍ସ ଆକ୍ଟ ୧୯୨୦ । ଏ ନେଇ ଗତ କ୍ୟାବିନେଟ୍ ବୈଠକରେ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହା କାର୍ଯ୍ୟକାରୀ ହେଲେ ପୁରୀ ଲଜିଂ ହାଉସ ଫଣ୍ଡ କମିଟି ଅସ୍ତିତ୍ୱ ହରାଇବ । ଲଜିଂ ହାଉସ ଫଣ୍ଡ ଦ୍ୱାରା ପରିଚାଳିତ ଶହ ଶହ ବର୍ଷର ବଗଲା ଧର୍ମଶାଳା ଓ ମହାବୀର ଧର୍ମଶାଳା ପୌରସଂସ୍ଥା ଅଧୀନକୁ ଚାଲିଯିବ ।

ଶ୍ରୀକ୍ଷେତ୍ର ଧାମରେ ଗରିବ ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ରହିବା ପାଇଁ ଗଠିତ ହୋଇଥିଲା ଲଜିଂ ହାଉସ ଫଣ୍ଡ । ଦୁଇଟି ଧର୍ମଶାଳା ସହ ଏହା ଅଧିନରେ ରହିଥିଲା ପୁରୀ ପ୍ରବେଶ ପଥରେ ୩ ଟି ତୀର୍ଥକର ଆଦାୟ କେନ୍ଦ୍ର, ମେଡିକାଲ, ଆମ୍ବୁଲାନ୍ସ ଓ ଶବବାହକ ଗାଡି । ଏଥିରୁ ବର୍ଷକୁ କୋଟି କୋଟି ଟଙ୍କା ଆଦାୟ ମଧ୍ୟ ହେଉଥିଲା । କିନ୍ତୁ ପୌରସଂସ୍ଥା ଭଳି ସ୍ଥାଣୁ ଅନୁଷ୍ଠାନ ଅଧିନକୁ ଏହା ଚାଲିଗଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବନାହିଁ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ।

ଏହା ସହ ଗରିବ ତୀର୍ଥଯାତ୍ରୀ ଆଉ ସୁଲଭ ମୂଲ୍ୟରେ ପୁରୀରେ ରହିପାରିବେ କି ନାହିଁ ଏ ନେଇ ସନ୍ଦେହ ଦେଖାଦେଇଛି । ଏହା ସହ ଏହିସବୁ ଧର୍ମଶାଳାରେ କାର୍ଯ୍ୟରତ ୫୦ରୁ ଅଧିକ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି ।