ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ମାମଲା : ସାମ୍ନାକୁ ଆସିଲା ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବାର ମୋବାଇଲ ଭିଡିଓ

ଟ୍ୱିଟ କରି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା; ସ୍ପଷ୍ଟ ହୋଇନି ଭିଡିଓର ବୈଧତା

275

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଖେରୀ ଅଂଚଳରେ ଚାଷୀଙ୍କ ଉପରେ ଗାଡି ମାଡିଯିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାସ୍ତାକୁ ଅବରୋଧ କରି ପ୍ରତିବାଦ କରୁଥିବା ଚାଷୀଙ୍କ ଉପରେ ଏସୟୁଭି ଗାଡିଟି ମଡେଇ ଚାଲି ଯାଉଥିବା ଭିଡିଓରୁ ଜଣାପଡୁଛି । ତେବେ ଭିଡିଓଟିର ବୈଧତା ସ୍ପଷ୍ଟ ହୋଇନାହିଁ । ଏପରିକି ଗାଡିର ଡ୍ରାଇଭର ସିଟରକେ କିଏ ବସିଛନ୍ତି ତାହା ସ୍ପଷ୍ଟ ଜଣା ପଡୁନାହିଁ । କିନ୍ତୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଅନ୍ନଦାତାଙ୍କ ଉପରେ ଗାଡି ଚଢାଇ ଦେଇଥିବା ବ୍ୟକ୍ତି ଏଯାଏଁ କାହିଁକି ଗିରଫ ହୋଇନାହିଁ ବୋଲି ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଆମ ଆଦମୀ ପାର୍ଟି ମଧ୍ୟ ଏହି ଭିଡିଓକୁ ସେୟାର କରି ମୋଦୀ ଓ ଯୋଗୀ ସରକାରଙ୍କୁ ଘେରିଛି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ମନ୍ତ୍ରୀଙ୍କ ପୁଅ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ୪ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ଉତର ପ୍ରଦେଶର ଖେରୀ ଗସ୍ତରେ ଯାଉଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ର ।

ଦୁଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ମିଶ୍ରାଙ୍କ କାରକେଡ ଯାଉଥିଲା । ଯାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ ଚାଷୀ । ଆଶିଷଙ୍କ କାର ଉପରକୁ ପଥର ମାଡ କରିଥିଲେ ଆନ୍ଦୋଳନକାରୀ । ତାପରେ ଆଶିଷଙ୍କ କାର ଆନ୍ଦୋଳନାକାରୀଙ୍କ ଉପରେ ମଡାଇ ଦେଇଥିବା ଅଭିଯୋଗ ହୋଇଛି । କାର ମାଡିଯିବାରୁ ୪ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ହୋଇଥିବା କହିଛି ଚାଷୀ ସଂଗଠନ । ହେଲେ ଭିଡିଓରୁ ଜଣାପଡୁଛି ପ୍ରତିବାଦକାରୀ ରାସ୍ତା ଉପରେ ଯାଉଥିବାବେଳେ ପଛପଟୁ ଅଚାନକ କାରଟି ମଡାଇ ଚାଲିଯାଉଛି ।