ହାତରେ ନାହିଁ ସମୟ: ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ସବୁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ଼ । ଭୁବନେଶ୍ୱରରେ ମୁହାଁମୁହିଁ ସ୍ଥିତି

883

କନକ ବୁରୋ: ରାତି ପାହିଲେ ଲାଗୁଛି ଲମ୍ବା ଲାଇନ । ହାତରେ ଆଉ ମାତ୍ର ତିନି ଦିନ ଥିବାରୁ ଆଉଟିଓ ଅଫିସ ଖୋଲିବା ପୂର୍ବରୁ ପହଞ୍ଚି ଯାଉଛନ୍ତି ଶହ ଶହ ଲୋକ । ଭୁବନେଶ୍ୱର ଆରଟିଓ-୧ରେ ଥିଲା ପ୍ରବଳ ଭିଡ । ଉଭୟ ପାଶ୍ୱର୍ରେ ଲାଗିଥିଲା ଲମ୍ବା ଲାଇନ୍ । ସ୍ଥିତି ଏମିତି ହେଲା ଯେ, ଲୋକେ ଲୁହା ଗେଟକୁ ଠେଲାପେଲା ବି ଆରମ୍ଭ କରିଥିଲେ । ତେବେ ସ୍ଥିତି ନିୟମନ୍ତ୍ର କରିବାକୁ ପୁଲିସର ସାହାର୍ଯ୍ୟ ନେବା ପଡିଥିଲା

ଆରଟିଓ-୧ରେ ଯେଉଁ ସ୍ଥିତି ଥିଲା ଉଣା ଅଧିକେ ଭୁବନେଶ୍ୱର ଆରଟିଓ-୨ରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଗାଡ଼ି କାଗଜପତ୍ର ପାଇଁ ସେଠି ବି ଲାଗିଥିଲା ଶହ ଶହ ଲୋକଙ୍କ ଲମ୍ବା ଧାଡ଼ି । କେବଳ ଭୁବନେଶ୍ୱର କାହିଁକି ସାରା ରାଜ୍ୟରେ ସମାନ ସ୍ଥିତି ଆଜି ଦେଖିବାକୁ ମିଳିଥିଲା । ପୁରୀରୁ ରାଉରକେଲା । ସମ୍ବଲପୁରରୁ ବାଲେଶ୍ୱର ସବୁଠି ଏକାଦୃଶ୍ୟ । ନିଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟ ଗୁଡ଼ିକରେ ଅସମ୍ଭାଳ ଭିଡ଼ ।
କିଏ ରେଜିଷ୍ଟ୍ରସନ୍ ସାର୍ଟିଫିକେଟ୍ ପାଇଁ ଲାଇନରେ ଲାଗିଛି, ତ ଆଉ କିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରିବହନ କାର୍ଯ୍ୟାଳୟରେ ପହଂଚିଛି । ଏଣିକି, ବିନା କାଗଜପତ୍ରରେ ଗାଡ଼ି ଚଳାଇଲେ ଆଉ ମିଳିବନି ନିସ୍ତାର । ତେଣୁ ସେହି ଭୟରେ ସବୁଠି ଦେଖିବାକୁ ମିଳିଛି ତତ୍ପରତା ।

ସେପଟେ ଲୋକଙ୍କ ହାତରେ ଆଉ ମାତ୍ର ୩ ଦିନ ସମୟ । ଡିସେମ୍ବର ପହିଲାରୁ ପୁଣି ପୂର୍ବଭଳି କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମୟ ସୀମା ସରିବା ପୂର୍ବରୁ ଗତକାଲି ପରିବହନ ମନ୍ତ୍ରୀ ଶୁଣାଇଥିବା ସତର୍କବାଣୀ । ନିୟମ ଖିଲାପକାରୀଙ୍କୁ ନିସ୍ତାର ମିଳିବନି ବୋଲି ସିଧାସିଧା ଶୁଣାଇ ଦେବା ପରେ ଏବେ ସବୁଠି ଛାନିଆ ।