କନକ ବ୍ୟୁରୋ: ପେଣ୍ଡାଲ ଭାଙ୍ଗି ଚାଲିଗଲା ୧୬ ଜଣଙ୍କ ଜୀବନ । ରାଜସ୍ଥାନର ବାଡ଼ମେରାରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁସାରେ, ବାଡ଼ମେରରେ ରାମକଥା ପ୍ରବଚନ ଚାଲିଥିଲା । ହଠାତ୍ ଝଡ଼ତୋଫାନ ମାଡ଼ିଆସିଥିଲା, ଆଉ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା । ପବନ ଓ ବର୍ଷାରେ ତମ୍ବୁ ଭାଙ୍ଗିପଡ଼ିଥିଲା ବେଳେ ବିଦ୍ୟୁତ୍ ତାର ମଧ୍ୟ ଛିଡ଼ି ପଡ଼ିଥିଲା । ବିଦ୍ୟୁତ୍ ସଂସ୍ପର୍ଶ ଆସି ଅନେକ ଲୋକ ଗୁରୁତର ହୋଇଥିଲେ । ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ୧୪ ଜଣଙ୍କୁ ମୃତ ଘୋଷଣା କରିଥିଲେ, ତାପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ହସ୍ପିଟାଲରେ ୨୪ ଜଣଙ୍କ ଚିକିତ୍ସା ଚାଲିଛି ।

Advertisment

ଆଶ୍ଚର୍ଯ୍ୟକର କଥା ହେଲା, ପ୍ରକୃତିର ଏହି ମାତ୍ର ୯୦ ସେକେଣ୍ଡର ତାଣ୍ଡବରେ ଚାଲିଯାଇଥିଲା ୧୬ ଜଣଙ୍କର ଜୀବନ । ଆଉ ଏହି ସମୟରେ ମଂଚସ୍ଥ ପ୍ରସିଦ୍ଧ ପ୍ରବଚକ ମୁରଲିଧର ମହାରାଜା ମଧ୍ୟ ସ୍ରୋତାଙ୍କୁ ସତର୍କ କରାଇଦେଇଥିଲେ କି, ବର୍ଷାର ପରିମାଣ ବଢୁଛି, କୌଣସି ବି ମୁହୂର୍ତ୍ତରେ ପେଣ୍ଡାଲ ଭୁଷୁଡିପାରେ । ତେଣୁ ଯେତେ ସମ୍ଭବ ଟେଣ୍ଡ ଭିତରୁ ବାହାରକୁ ପଳାଇଯାଆନ୍ତୁ । ତେବେ ପ୍ରବଚକଙ୍କ ମୁହଁରୁ କଥା ନ ସରୁଶୁ ହଠାତ୍ ପେଣ୍ଡାଲ ଭୁଷୁଡି ଯାଇଥିଲା ଆଉ ଟେଣ୍ଡ ତଳେ ଚାପି ହୋଇ ଚାଲିଯାଇଥିଲା ୧୦ରୁ ଅଧିକ ଲୋକଙ୍କର ଜୀବନ ।